୨୦୨୪ ଲୋକସଭା ନିର୍ବାଚନରେ ଭୋଟରଙ୍କୁ ମିଳିପାରେ ଇ-ଭୋଟିଂ ସୁବିଧା

ନୂଆଦିଲ୍ଲୀ – ପରବର୍ତ୍ତୀ ଲୋକସଭା ନିର୍ବାଚନରେ ମତଦାତା ଘରେ ବସି ମଧ୍ୟ ଭୋଟ୍ ଦେଇପାରିବେ । ୨୦୨୪ ସାଧାରଣ ନିର୍ବାଚନରେ ଭୋଟରଙ୍କୁ ମିଳିପାରେ ଇ-ଭୋଟିଂ ସୁବିଧା । ମୁଖ୍ୟ ନିର୍ବାଚନ କମିଶନ (ସିଇସି) ସୁନୀଲ ଆରୋରା ଏଭଳି ସଙ୍କେତ ଦେଇଛନ୍ତି । ପରବର୍ତ୍ତୀ ନିର୍ବାଚନରେ ଏଭଳି ସୁବିଧା ଭୋଟରଙ୍କୁ ଉପଲବ୍ଧ କରାଯାଇପାରେ ବୋଲି ସେ ଏଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ଇ-ଭୋଟିଂ ଦ୍ୱାରା ଜଣେ ମତଦାତା ନିଜ ସହର ଓ ଗାଁରୁ ଦୂରରେ ଥାଇ ଏବଂ ନିଜ ନିର୍ବାଚନ ମଣ୍ଡଳୀର ପୋଲିଂ ବୁଥ୍ ନ ଯାଇ ମଧ୍ୟ ମତଦାନ କରିପାରିବେ । ନିର୍ବାଚନ କମିଶନ ଚଳିତ ବର୍ଷ ପ୍ରାରମ୍ଭରେ ଆଇଆଇଟି ମାଡ୍ରାସ ସହ ଓ ଅନ୍ୟ ପ୍ରମୁଖ ଇଞ୍ଜିନିୟରିଂ ସଂସ୍ଥାର ଜଣାଶୁଣା ଆଇଟି ବିଶେଷଜ୍ଞଙ୍କ ସହ ଇ-ଭୋଟିଂ ଉପରେ ଏକ କର୍ମଶାଳା ଆୟୋଜନ କରିଥିଲା । ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା କହିଛନ୍ତି ଯେ, ଗତ କିଛି ମାସ ଧରି ଏହି ପାଇଲଟ୍ ପ୍ରୋଜେକ୍ଟକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ସୁଦ୍ଧା ଇ-ଭୋଟିଂ ସୁବିଧା ଉପଲବ୍ଧ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ତେବେ ଇ-ଭୋଟିଂ ଉଦ୍ଦେଶ୍ୟ ଇଣ୍ଟରନେଟ୍ ଆଧାରିତ ମତଦାନ କି ଘରୁ ଭୋଟିଂ କରିବା ନୁହେଁ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭୋଟିଂର ଗୋପନୀୟତା ଓ ସ୍ୱଚ୍ଛତା କମିଶନଙ୍କ ପାଇଁ ସର୍ବଦା ପ୍ରଥାମିକତା ରହିଆସିଛି ବୋଲି ଆରୋରା କହିଛନ୍ତି । ପରବର୍ତ୍ତୀ ଲୋକସଭା ନିର୍ବାଚନରେ ମତଦାନ ପ୍ରକ୍ରିୟାରେ ଆଉ କିଛି ପରିବର୍ତ୍ତନ ହୋଇପାରେ ବୋଲି ସେ କହିଛନ୍ତି ।

Comments are closed.