ଆନ୍ଧ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୪ ମୃତ, ଚାରି ଆହତ

ତିରୁପତି – ଆନ୍ଧ୍ର ପ୍ରଦେଶ କର୍ଣ୍ଣୁଲ ଜିଲ୍ଲା ମାରାଦପୁରମ ଗାଁ ନିକଟସ୍ଥ ଜାତୀୟ ରାଜପଥ ୪୪ରେ ଆଜି ଭୋର୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି ।

ସ୍ଥାନୀୟ ପୋଲିସ୍ ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକ ହେଉଛନ୍ତି ତୀର୍ଥଯାତ୍ରୀ । ସେମାନେ ଚିତ୍ତୁର ଜିଲ୍ଲା ମଦନାପଲ୍ଲୀରୁ ରାଜସ୍ଥାନର ଆଜମେର ଯାଉଥିଲେ । ଏହି ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ଭ୍ୟାନ୍ ଆଜି ଭୋର୍ ପ୍ରାୟ ୩ଟାରୁ ସାଢ଼େ ତିନିଟା ବେଳେ ଜାତୀୟ ରାଜପଥ-୪୪ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ମିନି ଭ୍ୟାନ୍ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୮ ମହିଳା ସହ ପାଞ୍ଚ ଜଣ ପୁରୁଷ ଓ ଗୋଟିଏ ଛୋଟପିଲା ପ୍ରାଣ ହରାଇଥିଲେ । ଆଉ ଦୁଇ ପିଲାଙ୍କ ସହ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ଦୁର୍ଘଟଣା ସର୍ମ୍ପରେ ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କର୍ଣ୍ଣୁଲ ସରକାରୀ ହସ୍ପିଟାଲକୁ ନେଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଭ୍ୟାନ୍ ସହ ମୃତଦେହ ଗୁଡିକ ଚାପି ହୋଇ ରହିଯାଇଥିବାରୁ ପୋଲିସକୁ ଜେସିବିର ସହାୟତା ନେବାକୁ ପଡିଥିଲା । ପୋଲିସ କହିବା ଅନୁସାରେ ଡ୍ରାଇଭରର ଆଖି ପଡିଯିବାରୁ କମ୍ବା ଟାୟାର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ।

Comments are closed.