ଅନନ୍ତ ବାସୁଦେବ, ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏନଏମଏ ଉପନିୟମ ପ୍ରତ୍ୟାହାର ଦାବିରେ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ସିଏସଙ୍କ ଚିଠି

ଭୁବନେଶ୍ୱର- ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣର –ଏନଏମଏର ଉପନିୟମ ବିରୋଧରେ ଜନ ଅସନ୍ତୋଷ ତୀବ୍ର ହୋଇଥିବା ବେଳେ ଏହାକୁ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଏଣେ ଏହି ଦୁଇ ମନ୍ଦିର ପାଇଁ ଜାରି ଉପନିୟମ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚିଠି ଲେଖିଛନ୍ତି । ଚିଠିରେ ସେ ଦର୍ଶାଇଛନ୍ତି ଯେ, ମାର୍ଚ୍ଚ ୧୧ ତାରିଖରେ ଏକାମ୍ର କ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବ ।

ମହାଶିବରାତ୍ରୀରେ ବର୍ତ୍ତମାନର ସ୍ଥିତି ଭକ୍ତଙ୍କ ଭାବାବେଗକୁ ଆଘାତ ଦେବ । କୌଣସି ଦେବଦେବୀ ମନ୍ଦିର ସଂପର୍କରେ ନିଷ୍ପତ୍ତି ଆଗରୁ ଆଲୋଚନା ହେଉ ବୋଲି ମୁଖ୍ୟ ଶାସନ ସଚିବ ତାଙ୍କ ଚିଠିଲେ ଦର୍ଶାଇଛନ୍ତି । ରାଜ୍ୟ ସରକାର, ସେବାୟତ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଠନମୂଳକ ସହ ଯୋଗ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଚିଠିଲେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଉପନିୟମ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏହାଛଡା ବିଜେଡିର ଏକ ସଂସଦୀୟ ଦଳ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବିବାଦୀୟ ଉପନିୟମ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ।

Comments are closed.