ଲେଖକ : ପ୍ରତିଭା ନେପାକ
ପ୍ରସିଦ୍ଧ ଧଉଳୀ ହେଉ କି କଟକ ବାରବାଟୀ, ଗଞ୍ଜାମ ଜିଲ୍ଲାର ପୋତାଗଡ଼ ଅଥବା ଜଉଗଡ଼, ଐତିହ୍ୟସମ୍ପନ୍ନ କୀର୍ତ୍ତିରାଜିରେ ଭରପୁର ଆମ ଓଡ଼ିଶା । ପ୍ରତି ଜିଲ୍ଲାରେ ରହିଛି ବହୁ ପ୍ରାଚୀନ, ରାଜାରାଜୁଡ଼ା ଅମଳର ସ୍ମୃତିଚିହ୍ନ। କେଉଁଠି ଦୁର୍ଗ ତ କେଉଁଠି ରାଜବାଟୀ, ପୁଣି କେଉଁଠି ପ୍ରାଚୀନ ଶିଳାଲେଖ । ତେବେ ଯେଉଁ ଓଡ଼ିଆ ଜାତିକୁ ତାର ସ୍ବାଭିମାନ ଶୀର୍ଷରେ ପହଞ୍ଚାଇବାକୁ ବେଶ୍ ତତ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେଇ ଜାତିର ଅତୀତର ସ୍ମୃତିଚିହ୍ନକୁ ମଧ୍ୟ ସାଇତି ରଖିବାକୁ ତାଙ୍କ ସରକାର ସମାନ ଗୁରୁତ୍ବ ଦେଉଛି । ନିକଟରେ ଜଉଗଡ଼ ଠାରେ ଆୟୋଜିତ ହୋଇଥିଲା ତିନିଦିନିଆ ଐତିହ୍ୟ ମହୋତ୍ସବ । ତାହାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉଦ୍ବୋଧନରେ ମଧ୍ୟ ଏହି କଥାକୁ ଗୁରୁତ୍ବ ଦେଇଛନ୍ତି ।
ମୌର୍ଯ୍ୟ ବଂଶର ମହାନ ସମ୍ରାଟ ଅଶୋକ ଇତିହାସ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧରେ ବିଜୟ ଲାଭ କରିଥିଲେ ହେଁ ଏଠିକାର ରକ୍ତରଞ୍ଜିତ ମାଟି ଓ ଯୁଦ୍ଧ ପରବର୍ତ୍ତୀ କରୁଣ ଦୃଶ୍ୟ ତାଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରି ଦେଇଥିଲା । ଜଣେ ପ୍ରଜାବତ୍ସଳ ରାଜା ରୂପେ ସେ ନିଜ ଶାସନାଧୀନ ଅଞ୍ଚଳର ଅନେକ ସ୍ଥାନରେ ନିଜ ଅନୁଶାସନର ଶିଳାଲେଖ ସ୍ଥାପିତ କରିଥିଲେ । ଗଞ୍ଜାମ ଜିଲ୍ଲାର ପୂରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ଶକ୍ତିପୀଠ ତାରାତାରାଣୀ ପାହାଡ଼ ଠାରୁ କିଛି ଦୂରରେ ରଷିକୁଲ୍ୟା ନଦୀ ତଟବର୍ତ୍ତୀ ପାଣ୍ଡିଆ ଗ୍ରାମ ନିକଟରେ ଅଛି ପ୍ରସିଦ୍ଧ ଜଉଗଡ଼ ଶିଳାଲେଖ । ବ୍ରହ୍ମପୁର ସହର ଠାରୁ ଏହାର ଦୂରତା ପ୍ରାୟ ୩୫ କିମି । ଭୁବନେଶ୍ବରର ଧଉଳି ପରି ଏଠାରେ ମଧ୍ୟ ସମ୍ରାଟ ଅଶୋକ ୨୫୦ ଖ୍ରୀଷ୍ଟପୂର୍ବରେ ଶିଳାଲେଖ କରିଥିବା ଜଣାଯାଏ । ମୁଖ୍ୟ ପ୍ରସ୍ତର ଉପରେ ୧ରୁ ୧୦ ଓ ୧୪ କ୍ରମାଙ୍କର ଶିଳାଲେଖ ରହିଛି । ୧୯୫୬ ମସିହାରେ ଏଏସ୍ଆଇ ( ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା ) ବିଶେଷଜ୍ଞଙ୍କ ଦ୍ଵାରା ଏହି ଶିଳାଲେଖର ଅନୁଧ୍ୟାନ କରାଯାଇଥିବା ଜଣାଯାଏ ।
ଏହି ସ୍ଥାନ ଓ ପାହାଡ଼ ଯଦିଓ ଇତିହାସ ପ୍ରସିଦ୍ଧ, କିନ୍ତୁ ଏଯାବତ୍ ଆଶାନୁରୂପକ ବିକାଶରୁ ଦୂରରେ ରହିଥିଲା । ଐତିହ୍ୟସମ୍ପନ୍ନ ଏହି ସ୍ଥାନର ସଂରକ୍ଷଣ ଦାୟିତ୍ବ କେନ୍ଦ୍ର ସରକାରଙ୍କ ଏଏସ୍ଆଇ ଉପରେ ନ୍ୟସ୍ତ । କିନ୍ତୁ ଯାହା ଦେଖାଯାଉଛି ଏଏସ୍ଆଇ ଏହାର ବିକାଶ କରିବା ବଦଳରେ ପରିତ୍ୟକ୍ତ ପାହାଡ଼ କରି ଛାଡ଼ି ଦେଇଛି । କେବଳ ସମ୍ରାଟ ଅଶୋକଙ୍କ ଶିଳାଲେଖ ଥିବା ପ୍ରସ୍ତରକୁ ଲୁହା ଘେରାରେ ଆବଦ୍ଧ କରି ଏଏସ୍ଆଇ ନିଜ କାମ ତୁଲାଇ ଦେଇଥିବା ମନେହୁଏ । ଐତିହାସିକ ମହତ୍ତ୍ବସମ୍ପନ୍ନ ଏକ ପର୍ଯ୍ୟଟନସ୍ଥଳ ହେଲେ ହେଁ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ପାଇଁ କୌଣସି ବ୍ୟବସ୍ଥା ଏଏସ୍ଆଇ ନିକଟ ଅତୀତରେ କରିଥିବା ଜଣାପଡ଼େନି । ଏଏସ୍ଆଇ ଅବହେଳାରୁ ସ୍ଥାନଟିର ପ୍ରଚାର ପ୍ରସାର ହୋଇପାରିନି ।
ଏବେ କିନ୍ତୁ ରାଜ୍ୟ ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପର୍ଯ୍ୟଟନସ୍ଥଳର ବିକାଶ ଉପରେ ସ୍ବତନ୍ତ୍ର ନଜର ଦେଇଛନ୍ତି । ବିଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣାଙ୍କ ଗଞ୍ଜାମ ଗସ୍ତ ବେଳେ ଏହି ବିଶେଷ ଅନାଲୋଚିତ କ୍ଷେତ୍ରର ଐତିହ୍ୟକୁ ଅଧିକ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ବ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀଙ୍କ ସୂଚନା ମୁତାବକ ଏବେ ରାଜ୍ୟ ସରକାର ଏହି ସ୍ଥାନର ବିକାଶର ଦାୟିତ୍ଵ ଆପଣାଇଛନ୍ତି । ଜଉଗଡ଼ର ବିକାଶର ମାଷ୍ଟର ପ୍ଲାନ୍ ବା ଡିପିଆର୍ ( ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ) ପ୍ରସ୍ତୁତି ଚାଲିଛି । ଏଥି ଅନ୍ତର୍ଗତ ଜଉଗଡ଼କୁ ଉନ୍ନତ ସଡ଼କ, ପାନୀୟ ଜଳ, ପାରିପାର୍ଶ୍ବିକ ଭିତ୍ତିଭୂମିଜନିତ ବିକାଶ, ପର୍ଯ୍ୟଟକଙ୍କ ରହଣୀ ବ୍ୟବସ୍ଥା ଆଦି କରାଯିବାକୁ ଯୋଜନା ହୋଇଛି । ଜଉଗଡ଼ର ବିକାଶ ଘଟିଲେ ଅନ୍ୟ ଐତିହାସିକ କୀର୍ତ୍ତିରାଜି ପରି ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ନିକଟରେ ପ୍ରସିଦ୍ଧ ତାରାତାରିଣୀ ପୀଠ ଥିବାରୁ ଉଭୟ ସ୍ଥାନକୁ ଦେଖଣାହାରୀ ଦେଖିବାକୁ ଯାଇପାରିବେ । ପ୍ରାୟ ୧୦ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ତାରାତାରିଣୀ ପୀଠର ବିକାଶ କରାଯାଉଛି । କିନ୍ତୁ ଏବେ କେବଳ ଲୋକେ ଏହି ଶକ୍ତିପୀଠକୁ ଯାଉଥିବା ବେଳେ ମାତ୍ର କିଛି ଦୂରରେ ଥିବା ଜଉଗଡ଼କୁ ଯିବାକୁ ଭଲ ରାସ୍ତାଟିଏ ସୁଦ୍ଧା ନଥିବାରୁ ମୁହଁ ମୋଡୁଛନ୍ତି । କିନ୍ତୁ ରାଜ୍ୟରେ ପର୍ଯ୍ୟଟନର ସମ୍ପୂର୍ଣ୍ଣ ବିକାଶ ସାଙ୍ଗକୁ ପର୍ଯ୍ୟଟନ ଆଧାରିତ ଅର୍ଥନୀତିକୁ ତ୍ବରାନ୍ବିତ କରିବାର ବିଚାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଜଉଗଡ଼କୁ ନିଜ ସରକାର ତତ୍ତ୍ଵାବଧାନରେ ବିକାଶ ପଥକୁ ଆଣିବାକୁ ଯୋଜନା କରିଛନ୍ତି। ବାସ୍ତବରେ ଦୀର୍ଘ ଦିନ ଧରି ଅନାଲୋଚିତ ହୋଇ ଧିରେ ଧିରେ ଇତିହାସ ମଧ୍ୟରେ ଲୁଚିଯିବାକୁ ବସିଥିବା ଜଉଗଡ଼ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାମଗ୍ରୀକ ବିକାଶର ଧାରାରେ ସାମିଲ ହେବାକୁ ଯାଉଛି । ସମୃଦ୍ଧ ଓ ପ୍ରାଚୀନ ଭାରତ ତଥା ଓଡ଼ିଶାର ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ସ୍ଥାନ ଶିକ୍ଷା ଦୃଷ୍ଟିରୁ ବି ପଥପ୍ରଦର୍ଶକ ସାଜିବ।
ଐତିହ୍ୟସମ୍ପନ୍ନ ଏହି ସ୍ଥାନକୁ ଉଭୟ ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଚଳିତ ମାର୍ଚ୍ଚ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା ଜଉଗଡ଼ ଐତିହ୍ୟ ମହୋତ୍ସବ । ଏହାକୁ ଅନ୍ଲାଇନ୍ରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନିଜ ସରକାରର ଐତିହ୍ୟ ସଂରକ୍ଷଣ ସକାଶେ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ । ସେ କହିଥିଲେ ଯେ- ଜଉଗଡ଼ର ବିକାଶ ଉପରେ ମୋ ନଜର ରହିଛି । ରାଜ୍ୟର ସମସ୍ତ ଇତିହାସପ୍ରସିଦ୍ଧ ସ୍ଥାନର ଐତିହ୍ୟକୁ ସୁରକ୍ଷିତ ରଖିବାକୁ ମୋ ସରକାର ଚେଷ୍ଟା କରୁଛି । ଜଉଗଡ଼ରେ ପର୍ଯ୍ୟଟନର ବିକାଶ କରାଯିବ । ଏହି ସ୍ଥାନରେ ଏଭଳି ଭବ୍ୟ ମହୋତ୍ସବ ଆୟୋଜନ ପାଇଁ ଅଞ୍ଚଳବାସୀ ଧନ୍ୟବାଦର ପାତ୍ର । ଐତିହ୍ୟସମ୍ପନ୍ନ ଏହି ସ୍ଥାନକୁ ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯିବ ବୋଲି ମହୋତ୍ସବର ଉଦ୍ଘାଟନୀ ସଭାରେ କହିଥିଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ | ପ୍ରଥମ ଥର ଆୟୋଜିତ ଜଉଗଡ଼ ମହୋତ୍ସବ ପର୍ଯ୍ୟଟନ ସାଙ୍ଗକୁ ସାଂସ୍କୃତିକ ସମ୍ଭାବନାର ଦ୍ଵାର ଖୋଲି ଦେଇଛି । ତିନିଦିନିଆ କାର୍ଯ୍ୟକ୍ରମରେ ପ୍ରତ୍ୟହ ହଜାର ହଜାର ଦର୍ଶକଙ୍କ ସମାଗମ ଏହାର ପ୍ରମାଣ । ଦ୍ବିତୀୟ ସନ୍ଧ୍ୟାରେ ମହିଳାଙ୍କୁ ନେଇ ହୋଇଥିବା ଆଲୋଚନାଚକ୍ର ଦର୍ଶାଇଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଆଗକୁ ଆଣିବାକୁ ଯେଉଁ ସ୍ୱପ୍ନ ଦେଖାଇଥିଲେ ତାହା ଜଉଗଡ଼ ମହୋତ୍ସବରେ ସଫଳ ହୋଇଛି । ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ିରହିଥିବା ଜଉଗଡ଼ ଠାରେ ମହୋତ୍ସବ ଲାଗି ଗତ ଏକ ମାସ ଧରି ଜିଲ୍ଲା ପ୍ରଶାସନ ସମେତ ଜନପ୍ରତିନିଧିଙ୍କ ପ୍ରୟାସ କାର୍ଯ୍ୟକ୍ରମକୁ ସଫଳ କରିପାରିଥିଲା ।
ଲେଖକ ତଥା ଇତିହାସ ଗବେଷକ
Comments are closed.