ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା: ଏହା ବିଜେପିର ସୁପରିକଳ୍ପିତ ନାଟକ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ଦେବଗଡ଼ ଜିଲ୍ଲା ବିଜେଡି

ଦେବଗଡ଼ : ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଏହା ବିଜେପିର ସୁପରିକଳ୍ପିତ ନାଟକ । ବିଧାନସଭାର ପବିତ୍ର ଗୃହର ଗାରିମା କ୍ଷୁର୍ଣ କରିଥିବା ସୁବାସ ତୁରନ୍ତ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଆଜି ଦେବଗଡ଼ ଜିଲ୍ଲା ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।

ସେହିପରି ଏହି ପ୍ରସଙ୍ଗରେ ବିଜେଡି ନେତା ଓ କର୍ମୀ ଏକ ବାଇକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିଧାୟକଙ୍କ ଆଚରଣ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ . ନଳିନୀକାନ୍ତ ପ୍ରଧାନ , ରାଜ୍ୟ ପ୍ରବକ୍ତା ସଞ୍ଜୟ କୁମାର ବାବୁ ଓ ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ପ୍ରମୁଖ ସୁବାସଙ୍କ ଏଭଳି କାଣ୍ଡକୁ ତୀବ୍ର ସମାଲୋଚନା କରିବା ସହିତ ବିଜେପିର ଅସଲ ଚେହେରା ପଦାରେ ପଡ଼ିଛି ବୋଲି କହିଛନ୍ତି ।

ଏହାଦ୍ୱାରା ବିଧାନସଭା ଇତିହାସରେ କଳଙ୍କ ଲାଗିଲା ବୋଲି ଏହି ନେତାମାନେ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର କ୍ରମାଗତ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଠାରୁ କୃଷିକର୍ମଣ ପୁରସ୍କାର ହାସଲ କରୁଥିବା ବେଳେ ତାଙ୍କ ଦଳର ଜଣେ ବିଧାୟକ ଚାଷୀଙ୍କୁ ଆଳ କରି ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିବା ହାସ୍ୟାଷଦ ଏବଂ ଦୁର୍ଭାଗ୍ୟଜନକ ବୋଲି ଇଂ ପ୍ରଧାନ କହିଛନ୍ତି । ଏଭଳି ହୀନ ଆଚରଣ ପାଇଁ ତାଙ୍କୁ ରାଜ୍ୟବାସୀ କେବେ କ୍ଷମା ଦେବେନି ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି କେନ୍ଦ୍ରର କଳା କୃଷି ଆଇନ ପାଇଁ ସାରା ଦେଶର ଚାଷୀ କ୍ଷୁବ୍ଧ ଥିବା ବେଳେ ଏଥିରୁ ଧ୍ୟାନ ହଟାଇବା ପାଇଁ ବିଜେପିର ଏହା ସୁଚିନ୍ତିତ ଚାଲ୍ ବୋଲି ଇଂ ପ୍ରଧାନ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ସବ୍‌ସିଡି ବାବଦକୁ ୫୬୦୦ କୋଟି ଟଙ୍କା ପାଇବାକୁ ଥିବା ବେଳେ କେନ୍ଦ୍ର ସରକାର ତାହା ପ୍ରଦାନ କରୁନାହିଁ । ସେହିପରି ଏଫସିଆଇ ଗୋଦାମରୁ ଚାଉଳ ଉଠାଉନାହିଁ । ଏହି ସବୁ ସମସ୍ୟାର ସମାଧାନ ଦିଗରେ ବିଜେପି ଚେଷ୍ଟା ନ କରି ହୀନ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ କହିଛନ୍ତି । ଦେବଗଡ ଜିଲ୍ଲାରେ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ ପର୍ଯ୍ୟାୟକ୍ରମେ କିଣିବାକୁ ପ୍ରଶାସନ କହି ସାରିଥିବା ବେଳେ ସୁବାସଙ୍କ ଏଭଳି ଆଚରଣ ନିନ୍ଦନୀୟ ବୋଲି ରାଜ୍ୟ ସଂପାଦକ ଶୈଳେଶ ଦାନୀ କହିଛନ୍ତି ।

ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭ୍ୟା ନିଶାନୀ ବେହେରା , ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ , ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ . ସୁଜିତ କୁମାର ପ୍ରଧାନ ଓ ଜିଲା ଯୁବ ବିଜେଡି ସଭାପତି ପ୍ରତାପ ଦେବ ପ୍ରମୁଖ ମଞ୍ଚାସୀନ ଥିଲେ ।

Comments are closed.