କରୋନା ଅପଡେଟ୍‌: ୫୦ ହଜାର ଟପିଲା ଦୈନିକ ମାମଲା, ଦିନକରେ ଆଉ ୫୩,୪୭୬ ଆକ୍ରାନ୍ତ ଚିହ୍ନଟ, ପାଞ୍ଚ ମାସରେ ସର୍ବାଧିକ

ନୂଆଦିଲ୍ଲୀ – ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଦୈନିକ ମାମଲାରେ କ୍ରମାଗତ ବୃଦ୍ଧି ଘଟୁଛି । ପାଞ୍ଚ ମାସ ପରେ ଦେଶରେ ଦୈନିକ ମାମଲା ୫୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଆଉ ୫୩,୪୭୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୨୫୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬, ୪୯୦ ଜଣ ସୁସ୍ଥ ହୋଇଛନ୍ତି ।

ଶେଷଥର ଦେଶରେ ଅକ୍ଟୋବର ୨୩, ୨୦୨୦ରେ ୫୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଥିଲା । ଉକ୍ତ ଦିନ ୫୩,୩୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଭାରତରେ ଏବେ କରୋନାର ମୋଟ ମାମଲା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୬୦ ହଜର ୬୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏବେ ଏହି ସଂଖ୍ୟା ୩ ଲକ୍ଷ ୯୫ ହଜାର ୧୯୨ରେ ପହଞ୍ଚିଛି ।

ଭାରତରେ ୧୦ଟି ଜିଲ୍ଲାରେ ସ୍ଥିତି ବେଶ୍ ଗମ୍ଭୀର ରହିଛି । ଏହି ୧୦ ଜିଲ୍ଲାରେ ସର୍ବାଧିକ ସକ୍ରିୟ ମାମଲା ରେକର୍ଡ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ପୁଣେ, ନାଗପୁର, ମୁମ୍ବାଇ, ଥାନେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁୁରୁ, ଅର୍ବନ ନାନ୍ଦେଡ, ଜଲଗାଓଁ ଏବଂ ଅକୋଲା । ଏହି ୧୦ ଜିଲ୍ଲା ମଧ୍ୟରୁ ୯ ମହାରାଷ୍ଟ୍ରରେ ଥିବା ବେଳେ ଗୋଟିଏ କର୍ଣ୍ଣାଟକର ।

Comments are closed.