ମମତାଙ୍କ ଅଭିଯୋଗ: ବିଜେପି ଶାସିତ ରାଜ୍ୟରୁ ପୋଲିସ ଆସି ଭୋଟରଙ୍କୁ ଧମକାଉଛନ୍ତି

ନନ୍ଦିଗ୍ରାମ – ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମମତା ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମର ଭୋଟରଙ୍କୁ ଭୟଭୀତ କରିବା ପାଇଁ ବିଜେପି ଶାସିତ ରାଜ୍ୟ ଗୁଡିକରୁ ପୋଲିସ୍ ଫୋର୍ସ ଅଣାଯାଇଛି ।

ଏଥର ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ୁଛନ୍ତି । ଏହି ଆସନରେ ମମତାଙ୍କୁ ଟକ୍କର ଦେବେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁଙ୍କୁ ବିଜେପି ଏହି ଆସନରୁ ପ୍ରାର୍ଥୀ କରିଛି ।

ଭାଙ୍ଗାବେରାରୁ ଏକ ବିଶାଳ ରାଲି ପରେ ସୋନାଚୁରାରେ ଆୟୋଜିତ ଏକ ସାଧାରଣ ସଭାରେ ମମତା କହିଛନ୍ତି ଯେ, ନନ୍ଦିଗ୍ରାମରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର ଜାଣିଶୁଣି ମଧ୍ୟ ପ୍ରଦେଶରୁ ପୋଲିସ୍ ବାହିନୀ ଆଣି ଏଠାରେ ମୁତୟନ କରିଛି । ବିଜେପି ସପକ୍ଷରେ ଭୋଟ୍ ଦେବା ପାଇଁ ସେମାନେ ନନ୍ଦିଗ୍ରାମର ଭୋଟରଙ୍କୁ ଧମକାଉଛନ୍ତି । ତଥାପି ସେ ଏଠାରୁ ବିପୁଳ ଭୋଟରେ ବିଜୟୀ ହେବେ ଏବଂ କ୍ରମାଗତ ତୃତୀୟ ଥର ତୃଣମୂଳ କଂଗ୍ରେସ ରାଜ୍ୟରେ ସରକାର ଗଢ଼ିବ ବୋଲି ମମତା କହିଛନ୍ତି ।

ଶୁଭେନ୍ଦୁ ଅଧିକାରୀଙ୍କ ନାମ ନ ନେଇ ମମତା କହିଛନ୍ତି, ବିଜେପି ଶାସିତ ରାଜ୍ୟରୁ ଆସିଥିବା ପୋଲିସ୍‌କର୍ମୀ ଏଠାରେ ମାତ୍ର ଅଳ୍ପ ଦିନ ପାଇଁ ରହିବେ । କିନ୍ତୁ ଆମେ ପୁଣି କ୍ଷମତାକୁ ଫେରିବା ଓ ବିଶ୍ୱାସ ଘାତକଙ୍କୁ ଉଚିତ ଜବାବ ଦେବା ।
ପୋଲିସକର୍ମୀଙ୍କ ପକ୍ଷପାତ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏପ୍ରିଲ ୧ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପି ନନ୍ଦିଗ୍ରାମରେ ସାମ୍ପ୍ରଦାୟିକ ହିଂସା ଘଟାଇବା ପାଇଁ ଉଦ୍ୟମ କରୁଛି । ଏଥି ପ୍ରତି ସତର୍କ ରହିବାକୁ ମମତା ଭୋଟରଙ୍କୁ ପରାମର୍ଶ ଦେଇଛନ୍ତି ।

Comments are closed.