ହୀରାକୁଦରେ ଜଳକ୍ରୀଡା ପ୍ରକଳ୍ପର ଶୁଭାରମ୍ଭ

ବର୍ଷତମାମ ପର୍ଯ୍ୟଟକଙ୍କୁ ମିଳିବ ଜଳକ୍ରୀଡାର ମଜା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଏଣିକି ବର୍ଷତମାମ ମିଳିବ ଜଳକ୍ରୀଡାର ମଜା । ଆଜି ଏହି ପ୍ରକଳ୍ପକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଓଟିଡିସି ଅଧ୍ୟଖ୍ୟା ଶ୍ରୀମୟୀ ମିଶ୍ର ଉଦଘାଟନ କରିଛନ୍ତି ।

ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ହୋଇଥିବା ଇକୋ ରିଟ୍ରିଟର ବିଶେଷ ସଫଳତା ପରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଦ୍ବାରା ପର୍ଯ୍ୟଟକଙ୍କୁ ହୀରାକୁଦର ଅପରୂପ ଶୋଭାରାଜି ରୋମାଞ୍ଚିତ କରିବ ବୋଲି ଆଶା କରାଯାଉଛି । ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଦିଗରେ ଏହି ଜଳକ୍ରୀଡା ବିଶେଷ ସହାୟକ ହେବ ବୋଲି ଓଟିଡିସି ଅଧ୍ୟଖ୍ୟା ଶ୍ରୀମୟୀ ମିଶ୍ର କହିଛନ୍ତି ।

ଯେଉଁ ସ୍ଥାନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି ସେଠି ବର୍ଷତମାମ ଜଳଭଣ୍ଡାରର ପାଣି ରହୁଥିବାରୁ ଗ୍ରୀଷ୍ମରେ ବି ପର୍ଯ୍ୟଟକ ଭରପୁର ମଜା ଉଠାଇପାରିବେ ବୋଲି ମନ୍ତ୍ରୀ ବେହେରା କହିଛନ୍ତି । ଡେବ୍ରିଗଡ ଅବୟାରଣ୍ୟ ଯିବା ରାସ୍ତାରେ ଏହି ଜଳକ୍ରୀଡା ରହିଥିବାରୁ ହୀରାକୁଦ ଜଳଭଣ୍ଡାର କୁ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେବ ବୋଲି ମନ୍ତ୍ରୀ ବେହେରା କହିଛନ୍ତି । ଏହି ଜଳକ୍ରୀଡା ରେ ପର୍ୟଟକଙ୍କୁ କାୟକ, ୱାଟର ସ୍କୁଟର, ବନାନା, ଵଂପେର, ସ୍ପିଡ଼ ବୋଟ, ପାଡ଼ଲ ବୋଟ ଉପଭୋଗ କରିବାର ସୁଯୋଗ ମିଳିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ଅକ୍ଟୋବରରୁ ଏଠାରେ ପାରା ଗ୍ଲୀଡିଙ୍ଗ ମଧ୍ୟ ଆରମ୍ଭ ହେବ ବୋଲି ପରିଚାଳନାକାରୀ ସଂସ୍ଥା ଅକେଲା ଆଡଭେଞ୍ଚର ପକ୍ଷରୁ କୁହାଯାଇଛି । ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ଵପଲୁର ଜିଲ୍ଲାପାଳ ଶୁଭମ ସକସେନା, ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।

Comments are closed.