ରାଜ୍ୟରେ ଟିକାର ଅଭାବ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ରାଜ୍ୟରେ କୋଭିଡ଼-୧୯ ଟିକାର ସ୍ଵଳ୍ପ ପରିମାଣ ଓ ଅନୀୟମିତ ଯୋଗାଣ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଆଜି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା ଯୋଗାଇ ଦିଆଯାଇଛି । ତା ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭାସିଲ୍ଡ ଟିକା ହୋଇଥିବା ବେଳେ ଅବଶିଷ୍ଟ ୫ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ ଟିକା ଅଟେ । ବର୍ତ୍ତମାନ ରାଜ୍ୟ ସ୍ତରୀୟ , ଜିଲ୍ଲା ସ୍ତରୀୟ ତଥା ବ୍ଲକ୍ ସ୍ତରୀୟ ଟିକାକରଣ କେନ୍ଦ୍ର ମାନଙ୍କରେ କୌଣସି କୋଭାସିଲ୍ଡ ଟିକା ନଥିବା ବେଳେ , ୧ ଲକ୍ଷ ୭୪ ହଜାର ୪ ଡୋଜ୍ କୋଭାସିଲ୍ଡ ଓ ୨ ଲକ୍ଷ ୪୯ ହଜାର ୧୯୬ ଡୋଜ୍ କୋଭାକ୍ସିନ୍ ଟିକାର ବଂଟନ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟର ପ୍ରତ୍ୟେକ ଦିନ ତିନି ଲକ୍ଷ ଟିକାକରଣର କ୍ଷମତା ରହିଛି । ଏହି ସମୟରେ ରାଜ୍ୟକୁ ମାତ୍ର ୨ ରୁ ୩ ଲକ୍ଷ ଡୋଜ୍ ଟିକା ମିଳୁଛି । ଯାହାକି ରାଜ୍ୟ ଭାକ୍ସିନ୍ ଷ୍ଟୋରରୁ ଅଂଚଳିକ ଭାକ୍ସିନ୍ ସବସେଂଟର ଓ ଜିଲ୍ଲା ଭାକ୍ସିନ୍ ସବସେଂଟରକୁ ପହଂଚିବାକୁ ୩ ଦିନ ସମୟ ଲାଗିଯାଉଛି । ଏଭଳି ଅନିୟମିତ ଟିକା ଯୋଗାଣ ଯୋଗୁଁ କମ୍ୟୁନିଟି ସେଟର ଗୁଡ଼ିକରେ ଯୋଜନା ମୁତାବକ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବ ହୋଇପାରୁ ନାହିଁ ।

ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ା ହର୍ଷ ବର୍ଦ୍ଧନଙ୍କୁ ୧୦ ଦିନ ପାଇଁ ପ୍ରାୟ ୨୫ଲକ୍ଷ , କୋଭାସିଲ୍ଡ ଡୋଜ ଜରୁରୀ କାଳୀନ ଭିତିରେ ଯୋଗାଇ ଦେବା ପାଇଁ ଚିଠି ଲେଖି ପୁନର୍ବାର ଅନୁରୋଧ କରିଛନ୍ତି । ଯାହାଦ୍ଵାରା କି ଟିକାକରଣ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲି ପାରିବ ।

Comments are closed.