କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାଟ୍ରିକ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ଘୋଷଣା କରିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା । କିନ୍ତୁ ବଢିଚାଲିଥିବା ସଂକ୍ରମଣ ଓ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମଦ୍ରାସା ଶିକ୍ଷାବୋର୍ଡ ପରିଚାଳିତ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପରୀକ୍ଷା ବାତିଲ କରାଯାଇଛି । ବୋର୍ଡ ନିର୍ଦ୍ଧାରିତ ପଦ୍ଧତିରେ ରେଜଲ୍ଟ ଆସିବ । ଯେଉଁ ଛାତ୍ରଛାତ୍ରୀମାନେ ଅସହମତି ପ୍ରକାଶ କରିବେ, ସଂକ୍ରମଣ କମିଲେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା କରାଯିବ ।

ଏଣେ ମାଟ୍ରିକ ପରୀକ୍ଷା ବାତିଲ ହେବା ପରେ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି । ସରକାରଙ୍କ ଲିଖିତ ନିର୍ଦ୍ଦେଶ ପାଇବା ପରେ ତର୍ଜମା କରାଯିବ । କେଉଁ ପଦ୍ଧତିରେ ପିଲାମାନଙ୍କୁ ନମ୍ବର ଦିଆଯିବ, ସେ ନେଇ ବିଚାର କରାଯିବ । ମୂଲ୍ୟାଙ୍କନ ନେଇ ଖୁବଶୀଘ୍ର ବୋର୍ଡ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି ।

Comments are closed.