ଲଗାତର ୩ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ଖୋର୍ଧା ଜିଲ୍ଲାରୁ ବି କମୁଛି, ଗତ ୨୪ ଘଂଟାରେ ରାଜ୍ୟରେ ୨୫୪୬ ମାମଲା

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋରୋନାର ଦୈନିକ ସଂକ୍ରମଣ ସଂଖ୍ୟା । ପୁଣି ଥରେ ଏହି ସଂଖ୍ୟା ୩ ହଜାର ତଳେ ହିଁ ରହିଛି । ଗତ ୨୪ ଘଂଟାରେ ରାଜ୍ୟର ୨ ହଜାର ୫୪୬ ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୫୦୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୨୩୯କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଓ ଅନୁଗୁଳ ଜିଲ୍ଲାରୁ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୧୬୧, କଟକ ଜିଲ୍ଲାରୁ ୧୩୪, ମୟୂରଭଂଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଯାଜପୁରରୁ ୯୦, ନୂଆପଡାରୁ ୮୮, ଜଗତସିଂହପୁରରୁ ୮୬, ବଲାଙ୍ଗିରରୁ ୮୫, ସମ୍ବଲପୁରରୁ ୮୪ ଏବଂ କଳାହାଣ୍ଡି ଓ କେନ୍ଦ୍ରାପଡାରୁ ୭୫ ଜଣ ଲେଖାଏଁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ଦିନକରେ ପ୍ରାଣ ହରାଇଛନ୍ତି ଆଉ ୧୬ କୋରୋନା ରୋଗୀ । ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୧ ହଜାର ୨୨କୁ ବୃଦ୍ଧି ପାଇଛି ।

Comments are closed.