କୋଭିଡ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ଆରୋଗ୍ୟଙ୍କ ସଂଖ୍ୟା ଅଢେଇ ଲକ୍ଷ ହୋଇଥିଲେ ମଧ୍ୟ ଆତ୍ମସନ୍ତୋଷର ସ୍ଥାନ ନାହିଁ, ପାର୍ବଣ ଋତୁରେ ଅଧିକ ସତର୍କତା ପାଇଁ ଆହ୍ୱାନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ରାଜ୍ୟରେ କ୍ରମାଗତ ଭାବେ ନୂଆ କୋଭିଡ ସଂକ୍ରମଣ କମୁଛି । ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ , ପୋଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଓ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ୪୦ ଲକ୍ଷରୁ ଅଧିକ ହୋଇଛି । ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଅଢେଇ ଲକ୍ଷରେ ପହଂଚିଛି । କିନ୍ତୁ ଏଥିପାଇଁ ଆତ୍ମସନ୍ତୋଷର ସ୍ଥାନ ନାହିଁ ବୋଲି କହିଛନ୍ତି ନବୀନ । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ କରିବା ସହ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । କୌଣସି କ୍ଷେତ୍ରରେ ବି ସାମାନ୍ୟ ଅବହେଳା ନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋ-ମୋର୍ବୋଡିଟି ଥିବା ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗରିବ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ଅବିରତ ଭାବେ ଜାରି ରହିବ, ସେଥିପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ନବୀନ । ଶିଳ୍ପ ସଂସ୍ଥାଗୁଡିକ ବିନା ବାଧାରେ ଯେପରି ସେମାନଙ୍କ ଉତ୍ପାଦନ ଜାରି ରଖିବେ ଓ ପୁଂଜି ବିନିଯୋଗ କାର୍ଯ୍ୟକାରୀ ହେବ, ସେଥିପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ କୋଭିଡ ଯୋଦ୍ଧା ଓ ସେମାନଙ୍କ ପରିବାରକୁ ଦଶହରାର ଶୁଭେଚ୍ଛା ଜଣାଇଥିଲେ ।

ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କୋରୋନା ସଂକ୍ରମଣ କମୁଥିବା ସତ୍ୱେ ପ୍ରଶାସନ ସଂପୂଣ୍ଣ ର୍ସତର୍କ ରହିଛି ବୋଲି ସେ ସୂଚନା ଦେଇଥିଲେ । ଦଶହରା ଓ ଦୀପାବଳି ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ବର୍ତମାନ ରାଜ୍ୟରେ ଖୋର୍ଧା, କଟକ, ସୁନ୍ଦରଗଡ, ମୟୂରଭଂଜ ଓ ଅନୁଗୁଳରେ ସକ୍ରିୟ ରୋଗୀ ସଂଖ୍ୟା ଏକ ହଜାରରୁ ଅଧିକ ରହିଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ ଏହି ସଂଖ୍ୟା କମିଛି ବୋଲି ସୁରେଶ ମହାପାତ୍ର କହିଥିଲେ ।

ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ ଯେ, ରାଜ୍ୟରେ ସଂକ୍ରମଣ ହାର ୦.୭୧ ପ୍ରତିଶତକୁ ହ୍ରାସ ଘଟିଥିବା ବେଳେ ଆରୋଗ୍ୟ ହାର ୯୩ ପ୍ରତିଶତ ରହିଛି, ଯାହା କି ଜାତୀୟ ହାରଠାରୁ ଅଧିକ । ଅଗଷ୍ଟ ୧୮ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ତଳେ ରହିଛି ।

ପୂଜା ସମୟରେ କୋଭିଡ କଟକଣା ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପୋଲିସ ଡିଜି ଅଭୟ କହିଥିଲେ ଯେ, ରାଜ୍ୟର ସମସ୍ତ ଏସପିଙ୍କ ସହ ଆଲୋଚନା କରାଯାଇ ରଣନୀତି ପ୍ରସ୍ତୁତ କରାଯାଇଛି । ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବୈଠକ ସଂଚାଳନ କରିଥିଲେ ।

Comments are closed.