ବିଧାନସଭା ଉପନିର୍ବାଚନ ପ୍ରଚାରରେ କାହିଁକି ବୈଜୟନ୍ତ ଅନୁପସ୍ଥିତ ?

ବାଲେଶ୍ୱର- ତିର୍ତୋଲ ଓ ବାଲେଶ୍ୱର ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସରଗରମ ହୋଇଛି ପ୍ରଚାର । ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଲାଗିପଡିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯଥାସାଧ୍ୟ ପ୍ରୟାସ ହେଉଛି । ରାଲି, ଭର୍ଚୁଆଲ ରାଲି ଓ ଘର ଘର ବୁଲି ତିନି ପ୍ରମୁଖ ଦଳର ନେତାମାନେ ଭୋଟ୍ ଭିକ୍ଷା କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀଙ୍କ ଭଳି ବିଜେପିର ହେଭିୱେଟ୍ ନେତା ବାଲେଶ୍ୱର ସଦର ଆସନରେ ଦଳୀୟ ପ୍ରାର୍ଥୀ ମାନଓ ଦତଙ୍କ ବିଜୟ ପାଇଁ ଜୋରଦାର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଭଳି ଅନ୍ୟ ବିଜେପି ନେତା ବି ମାନସଙ୍କ ବିଜୟ ପାଇଁ ଲାଗିପଡିଛନ୍ତି । କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ଜିତାଇବା ପାଇଁ ପ୍ରଚାର ଅଭିଯାନ ତୀବ୍ର କରିଛି । ରାଜ୍ୟ କଂଗ୍ରେସ ନେତାମାନେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ।

ସେହିପରି ତିର୍ତୋଲରେ ମଧ୍ୟ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ୪୦ରୁ ଅଧିକ ନେତା ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଜୋରସୋର ପ୍ରଚାରରେ ମାତିଛନ୍ତି ।

ଉଭୟ ବାଲେଶ୍ୱର ସଦର ଓ ତିର୍ତୋଲ ଆସନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ଦଳର ତୁଙ୍ଗନେତାମାନେ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ଏଥିରେ ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଅନୁପସି୍ଥତି ରାଜ୍ୟର ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି ।

ଉପନିର୍ବାଚନରେ ବୈଜୟନ୍ତ ପଣ୍ଡା କାହିଁକି ଦଳ ପାଇଁ ପ୍ରଚାର କରୁନାହାନ୍ତି ? ରାଜ୍ୟ ବିଜେପିର ଅନ୍ୟ ନେତାମାନଙ୍କ ସହ ବୈଜୟନ୍ତଙ୍କ ସଂପର୍କ ଭଲ ନାହିଁ କି ? ନା ଓଡିଶା ପୋଲିସକୁ ପାକିସ୍ତାନ ସହ ତୁଳନା କରି ତାଙ୍କର ବିବାଦୀୟ ଟ୍ୱିଟ୍ ତାଙ୍କର ଭାବମୂର୍ତିକୁ ଧୂମିଳ କରିଛି ? ବୈଜୟନ୍ତଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଉଙ୍କିମାରିିଛି ।

ନିଜ ପରିଚୟ ଗୋପନ ରଖି ଜଣେ ରାଜନୈତିକ ପର୍ଯ୍ୟବେକ୍ଷକ କହନ୍ତି ଯେ, ଓଟିଭିକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଓ ବୈଜୟନ୍ତଙ୍କ ବିବାଦୀୟ ଟ୍ୱିଟ୍ ନେଇ ରାଜ୍ୟର ଲୋକେ କ୍ଷୁବ୍ଧ ଅଛନ୍ତି । ଆଉ ଯଦି ସେ ନିର୍ବାଚନ ପ୍ରଚାର କରନ୍ତି, ତାହା ହେଲେ ଦଳ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିବା ଆଶଙ୍କାରେ ହୁଏ ତ ବୈଜୟନ୍ତ ନିର୍ବାଚନ ପ୍ରଚାରରୁ ଅନୁପସ୍ଥିତ ରହିଥାଇ ପାରନ୍ତି ।

ଅନେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ରାଜ୍ୟ ବିଜେପିର ହେଭୱେଟ୍ ନେତା ଓ ଅନ୍ୟ ନେତାମାନଙ୍କ ସହ ବୈଜୟନ୍ତଙ୍କ ସଂପର୍କ ହୁଏ ତ ସେତେ ଭଲ ନ ଥାଇପାରେ । ଆଉ ଏହି କାରଣ ଯୋଗୁଁ ହିଁ ବୈଜୟନ୍ତ ବିଧାନସଭା ଉପନିର୍ବାଚନ ପ୍ରଚାରରେ ଅନୁପସ୍ଥିତ ଥିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

Comments are closed.