ଆଦର୍ଶ ସରପଂଚ, ପ୍ରଶଂସନୀୟ ଜନସେବା : ଉଦାହରଣ ସୃଷ୍ଟି କରିଛନ୍ତି ଜଗଦଳପୁର ଗ୍ରାମ ପଂଚାୟତ ସରପଂଚ ହାଡୁବନ୍ଧୁ ବେହେରା

ବ୍ରହ୍ମପୁର- ଯଦି ଆପଣ ଜନ ପ୍ରତିିନିଧି ହୋଇଥିବେ, ତାହା ହେଲେ ଲୋକଙ୍କ ବିଶ୍ୱାସ ଜିତିବାକୁ ହେବ । ଲୋକଙ୍କ ପାଇଁ କାମ କରିବାକୁ ହେବ । ଆଉ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବାକୁ ପଡିବ । ଆଉ ଅଧିକରୁ ଅଧିକ ଦାୟିତ୍ୱ ବି ନେବାକୁ ପଡିବ । ସବୁଠୁ ବଡ କଥା ହେଲା, ସମସ୍ତ ପ୍ରତିକୂଳ ପରିସ୍ଥିତି ଓ ଲୋକଙ୍କ ଭାବପ୍ରବଣତାକୁ ବୁଝି କାମ କରିବାକୁ ହେବ । ଏମିତି ଏକ ଜନ ପ୍ରତିନିଧି ହେଲେ ଗଂଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ଗ୍ରାମ ପଂଚାୟତ ସରପଂଚ ହାଡୁବନ୍ଧୁ ବେହେରା । ସେ ଏମିତି ଏକ ନିଆରା ମଣିଷ, ଯାହାଙ୍କ ପାଇଁ କର୍ମ ହିଁ ଜୀବନ । କୌଣସି କାମରେ ତାଙ୍କର ବାଛ ବିଚାର ନାହିଁ ।

୬୫ ବର୍ଷିୟ ହାଡୁବନ୍ଧୁ ବେହେରା । ଗଂଜାମ ଜିଲ୍ଲାରେ କୋଭିଡ ମହାମାରୀ ଶୀର୍ଷରେ ଥିଲା ବେଳେ ଅସୁସ୍ଥ ଥାଇ ବି ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିଛନ୍ତି । ତୃଣମୂଳ ସ୍ତରରେ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । ଯାହା କି ହାଡୁବନ୍ଧୁ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଥିଲା । ଏଥିରେ ଖୁବ୍ ଉତ୍ସାହିତ ହୋଇଥିଲେ ହାଡୁବନ୍ଧୁ । ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ବେଶ୍ ଗୁରୁତ୍ୱପୂଣ୍ଣ ର୍ ନିଷ୍ପତି ଥିଲା ବୋଲି ହାଡୁବନ୍ଧୁ କହନ୍ତି । କୋଭିଡ ସଂକଟ ବେଳେ ଜଗଦଳପୁର ପଂଚାୟତର ସରପଂଚ ଭାବେ ହାଡୁବନ୍ଧୁ ବେହେରା ଭଲ କାମ କରିଥିଲେ । ଅସୁସ୍ଥ ଥିଲେ ମଧ୍ୟ କୋଭିଡ ସମୟରେ ନିଜର ଦାୟିତ୍ୱ ସୂଚାରୁ ରୂପେ ସଂପାଦନ କରିଥିଲେ ହାଡୁବନ୍ଧୁ । ହାଡୁବନ୍ଧୁଙ୍କ କାମ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା । ହାଡୁବନ୍ଧୁଙ୍କ କାମକୁ ବେଶ୍ ପ୍ରଶଂସା କରିଥିଲେ ଜିଲ୍ଲାପାଳ ।

ହାଡୁବନ୍ଧୁ ୧୯୯୭ରୁ ୨୦୦୨ ଯାଏଁ ମଧ୍ୟ ଜଗଦଳପୁର ଗ୍ରାମ ପଂଚାୟତର ସରଂପଚ ଥିଲେ । ତାଙ୍କ ସମୟରେ ପଂଚାୟତର ଅନେକ ଉନ୍ନତି ହୋଇଥିବା ସ୍ଥାନୀୟ ଲୋକେ କହନ୍ତି । ଲୁଚାପଡାର ସମବାୟ ସମିତି ସଦସ୍ୟ ବି ଥିଲେ ହାଡୁବନ୍ଧୁ ।

କୌଣସି କାମକୁ ନ୍ୟୁନ ମନେ କରନ୍ତି ନାହିଁ ହାଡୁବନ୍ଧୁ । ଦୀର୍ଘ ୩୫ ବର୍ଷ ଧରି ସେ ଆଉ ଏକ ମହତ କାମ କରିଆସୁଛନ୍ତି । ପ୍ରତିବର୍ଷ ପବିତ୍ର କାର୍ତିକ ମାସରେ ସେ ଭୋରରୁ ଉଠି ଗାଁ ମୁଖ୍ୟ ରାସ୍ତା ନିଜେ ସଫା କରନ୍ତି । ହବିଷ୍ୟାଳୀମାନଙ୍କ ପାଇଁ ସେ ଏପରି କରିଥାନ୍ତି । କାର୍ତିକ ମାସଟାଯାକ ହାଡୁବନ୍ଧୁ ଭୋରରୁ ଉଠି ରାସ୍ତା ସଫା କାମ କରନ୍ତି । ଏଥିରେ ତାଙ୍କୁ ବେଶ୍ ଆନନ୍ଦ ମିଳେ ବୋଲି ସେ କହନ୍ତି ।

 

ତାଙ୍କୁ ସ୍ୱୀକୃତି ମିଳୁ ବା ନ ମିଳୁ,ଲୋକଙ୍କ ପାଇଁ ସେ ନିସ୍ୱାର୍ଥପର ଭାବେ ସେବା କରି ଚାଲିଥିବେ ବୋଲି ହାଡୁବନ୍ଧୁ କହନ୍ତି ।

Comments are closed.