ଗମ୍ଭୀରଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍

ନୂଆଦିଲ୍ଲୀ: ପୂର୍ବତନ ଓପନର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ନିଜେ ଗମ୍ଭୀର ଏନେଇ ସୂଚନା ଦେଇଛନ୍ତି । ନିଜ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ହେବା ପରେ ଗମ୍ଭୀର ଆଶ୍ୱସ୍ତ ହୋଇଛନ୍ତି । ସେ ଏଥିପାଇଁ ନିଜ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଘାତକ ରୋଗରୁ ଦୂରେଇ ରହିବା ପାଇଁ ସବୁ ଗାଇଡଲାଇନ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଗତ ଶୁକ୍ରବାର ଗମ୍ଭୀରଙ୍କ ପରିବାରର ଜଣେ ସଦସ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପୂର୍ବତନ କ୍ରିକେଟର ଏକାନ୍ତବାସରେ ରହିଥିଲେ ।

ଗମ୍ଭୀର ୨୦୧୮ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିଲେ । ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଗମ୍ଭୀର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ଉକ୍ତ ଦୁଇଟି ଯାକ ବିଶ୍ୱକପର ଫାଇନାଲରେ ବି ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ପାକିସ୍ତାନ ବିପକ୍ଷ ୨୦୦୭ ଟି୨୦ ବିଶ୍ୱକପ ଫାଇନାଲରେ ଗମ୍ଭୀର ୭୫ ରନ୍ କରିଥିଲେ । ସେହିପରି ଶ୍ରୀଲଙ୍କା ବିପକ୍ଷ ୨୦୧୧ ବିଶ୍ୱକପ୍ ଫାଇନାଲରେ ସେ ୯୭ ରନର ଇନିଂସ୍ ଖେଳିଥିଲେ । ଗମ୍ଭୀର ଭାରତ ପାଇଁ ୫୮ଟି ଟେଷ୍ଟ, ୧୪୭ ଦିନିକିଆ ଓ ୩୭ ଟି୨୦ ଖେଳିଛନ୍ତି । ଏହି ତିନୋଟି ଫର୍ମାଟରେ ସେ ଯଥାକ୍ରମେ ୪୧୫୪, ୫୨୩୮ ଓ ୯୩୨ ରନ୍ କରିଛନ୍ତି । ଆଇପିଏଲରେ ବି ସେ ତାଙ୍କ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ । ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ୨୦୧୨ ଓ ୨୦୧୪ରେ ଟାଇଟଲ୍ ଜିତିଥିଲା । ସମ୍ପ୍ରତି ସେ ପୂର୍ବଦିଲ୍ଲୀରୁ ବିଜେପି ସାଂସଦ ଅଛନ୍ତି ।

Comments are closed.