ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ ?

ନୂଆଦିଲ୍ଲୀ –ଡୋନାଲ୍ଡ ଟ୍ରମ୍ପଙ୍କ ବେଳା ଏବେ ଖରାପ ଚାଲିଛି । ରାଷ୍ଟ୍ରପତି ନିର୍ବାଚନରେ ହାରିବା ପରେ ତାଙ୍କ ପାରିବାରିକ ଜୀବନରେ ବି କୁଆଡେ ଅଶାନ୍ତିର ନିଆଁ କୁହୁଳୁଛି । ପତ୍ନୀ ମେଲାନିଆ କୁଆଡେ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମେଲାନିଆଙ୍କ ଜଣେ ପୂର୍ବତନ ସହଯୋଗୀ ଓମାରୋସା ମାନିଗଲ୍ଟ ନ୍ୟୁମାନ ଏଭଳି ଦାବି କରିଛନ୍ତି । ନ୍ୟୁମାନଙ୍କ କହିବା ଅନୁଯାୟୀ ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ଛାଡ଼ିଲେ ମେଲାନିଆ ତାଙ୍କୁ ଛାଡ଼ପତ୍ର ଦେବେ । ଏଥିପାଇଁ ସେ ସେହି ମୂହୂର୍ତ୍ତକୁ ଅପେକ୍ଷା କରିଛନ୍ତି । ତେବେ ମେଲାନିଆ ଏହି ନିଷ୍ପତ୍ତି ପୂର୍ବରୁ କାହିଁକି ନେଇନଥିଲେ ? ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ସେ ଟ୍ରମ୍ପଙ୍କୁ କାହିଁକି ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ? ଏହାର ଜବାବରେ ନ୍ୟୁମାନ କହିଛନ୍ତି ଯେ, କ୍ଷମତାରେ ଥିବାବେଳେ ଟ୍ରମ୍ପଙ୍କୁ ଯଦି ମେଲାନିଆ ଛାଡ଼ପତ୍ର ଦେଇଥାନ୍ତେ, ତେବେ ସେ ତାଙ୍କ ଆକ୍ରୋଶର ଶିକାର ହୋଇଥାନ୍ତେ । ତେଣୁ ସେ ସଠିକ୍ ସମୟକୁ ଅପେକ୍ଷା କରିିଥିଲେ । ମେଲାନିଆ-ଟ୍ରମ୍ପଙ୍କ ୧୫ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପଡିସାରିଛି । ଏବଂ ଟ୍ରମ୍ପଙ୍କ ଠାରୁ ଅଲଗା ହେବାକୁ ମେଲାନିଆ ସ୍ଥିର କରିସାରିଛନ୍ତି ବୋଲି ନ୍ୟୁମାନ କହିଛନ୍ତି ।
ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ଆଉ ଜଣେ ପୂର୍ବତନ ସହଯୋଗୀ ତଥା ପରାମର୍ଶଦାତା ଷ୍ଟୋଫାନି ଓଲ୍କଫ୍ କହିଛନ୍ତି ଯେ, ମେଲାନିଆ-ଟ୍ରମ୍ପଙ୍କ ବିବାହ କେବଳ ଏକ ବ୍ୟାବସାୟିକ ଚୁକ୍ତି ଥିଲା । ଏପରିକି ହ୍ୱାଇଟ୍ ହାଉସରେ ବି ଟ୍ରମ୍ପ ଦମ୍ପତିଙ୍କ ବେଡ୍ ରୁମ୍ ଅଲଗା ଥିଲା ।

୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ବିଜୟୀ ହେବା ପରେ ମେଲାନିଆ ଖୁସିରେ କାନ୍ଦି ପକାଇଥିଲେ । କାରଣ ଟ୍ରମ୍ପ୍ ଜିତିବେ ବୋଲି ମେଲାନିଆ ଭାବିନଥିଲେ । ମେଲାନିଆଙ୍କ ଜଣେ ବନ୍ଧୁ ଏହା କହିଛନ୍ତି । ତେବେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କ ସହ ମେଲାନିଆ ୱାଶିଂଟନ୍ ଯାଇନଥିଲେ । ମେଲାନିଆ ପାଞ୍ଚ ମାସ ପରେ ୱାଶିଂଟନ ଯାଇଥିଲେ । ସେ ତାଙ୍କ ପୁଅ ବାରୋନଙ୍କ ସ୍କୁଲ ଶିକ୍ଷା ସମାପ୍ତ ହେବାକୁ ଅପେକ୍ଷା କରିଥିଲେ । କିନ୍ତୁ ଏହା ପଛରେ ଆଉ ଏକ କାରଣ ଥିଲା ବୋଲି ଚର୍ଚ୍ଚା ହେଉଛି । ଓଲ୍କଫ୍ ଙ୍କ କହିବା ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପତ୍ତିର ଅଧାଭାଗ ଯେଭଳି ତାଙ୍କ ପୁଅ ବାରୋନକୁ ମିଳିବ ସେନେଇ ମେଲାନିଆ କୁଆଡେ ଟ୍ରମ୍ପଙ୍କ ସହ ମୂଲଚାଲ କରୁଥିଲେ । ଏହି ମୂଲଚାଲ ନ ଛିଡିବା ଯାଏ ସେ ୱାଶିଂଟନ ଯିବାକୁ ଚାହୁଁନଥିଲେ ।

ଏଥର ଟ୍ରମ୍ପ ରାଷ୍ଟ୍ରପତି ପଦ ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଜୋ ବିଡେନଙ୍କ ଠାରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ହେଲେ ଟ୍ରମ୍ପ ଏ ଯାଏ ନିଜ ପରାଜୟ ସ୍ୱୀକାର କରିନାହାନ୍ତି । ଟ୍ରମ୍ପଙ୍କ ଏଭଳି ଜିଦଖୋର ଆଭିମୁଖ୍ୟକୁ ମେଲାନିଆ ନାପସନ୍ଦ କରିଛନ୍ତି । ଟ୍ରମ୍ପ୍ ପରାଜୟ ସ୍ୱୀକାର କରି ସସମ୍ମାନେ ହ୍ୱାଇଟ୍ ହାଉସ୍ ଛାଡ଼ନ୍ତୁ ବୋଲି ମେଲାନିଆ ଚାହାନ୍ତି ।

Comments are closed.