ମହିଳା ଟି୨୦ ଚାଲେଞ୍ଜ୍: ସୁପରନୋଭାସ୍ କୁ ହରାଇ ଟ୍ରେଲବ୍ଲେଜର୍ସ ଚାମ୍ପିୟନ

ଶାରଜା – ମହିଳା ଟି୨୦ ଚାଲେଞ୍ଜରେ ହରମନପ୍ରୀତ କୌରଙ୍କ ସୁପରନୋଭାସର ଆଧିପତ୍ୟ ଶେଷ କରିଛି ଟ୍ରେଲବ୍ଲେଜର୍ସ । ଏକ ରୋମାଞ୍ଚକ ଫାଇନାଲରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ଟ୍ରେଲବ୍ଲେଜର୍ସ ୧୬ ରନରେ ସୁପରନୋଭାସକୁ ହରାଇ ପ୍ରଥମ ଥର ଟାଇଟଲ୍ ଜିତିଛି ।

ଏହି ଲୋ-ସ୍କୋରିଂ ଟାଇଟଲ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା । ଦଳ ତରଫରୁ କ୍ୟାପଟେନ୍ ମନ୍ଧାନା ସର୍ବାଧିକ ୬୮ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା । ମନ୍ଧାନାଙ୍କ ବ୍ୟତୀତ ଡିଏଣ୍ଡ୍ରା ଡଟିନ୍ ୨୦ ଓ ରିଚା ଘୋଷ ୧୦ ରନ୍ କରିଥିଲେ । ତେବେ ଏହି ତିନି ଜଣଙ୍କୁ ଛାଡ଼ି ଦଳର ଅନ୍ୟ ବ୍ୟାଟ୍ସଓମେନ ଦୁଇଅଙ୍କ ଛୁଇଁପାରିନଥିଲେ ।

ସୁପରନୋଭାସ୍ ତରଫରୁ ରାଧା ଯାଦବ ଚମତ୍କାର ପ୍ରଦର୍ଶନ ୧୬ ରନ୍ ବିନିମୟରେ ୫ଟି ୱିକେଟ୍ ନେଇଥିଲେ । ତେବେ ୧୧୯ ରନର ବିଜୟଲକ୍ଷ୍ୟ ଜବାବରେ ସୁପରନୋଭାସ ସଂଘର୍ଷ କରିଥିଲା । ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ କେବଳ ୧୦୨ ରନ୍ କରିବାକୁ ସମର୍ଥ ହୋଇଥିଲା । କ୍ୟାପଟେନ୍ ହରମନପ୍ରୀତ ସର୍ବାଧିକ ୩୦ ରନ୍ କରିଥିଲାବେଳେ ଶଶିକଳା ୧୯ ଓ ତାନିଆ ଭାଟିଆ ୧୪ ରନ୍ କରିଥିଲେ । ଟ୍ରେଲବ୍ଳେଜର୍ସ ପାଇଁ ସଲମା ଖାତୁନ ୩ଟି ୱିକେଟ୍ ହାସଲ କରିଥିବାବେଳେ ଦୀପ୍ତି ଶର୍ମା ୨ଟି ୱିକେଟ୍ ନେଇଥିଲେ । ପ୍ରଥମ ଦୁଇ ସିଜନରେ ସୁପରନୋଭାସ ଟାଇଟଲ୍ ଜିତିଥିଲା ।

Comments are closed.