ବିହାର ନିର୍ବାଚନ: ଏନଡିଏ ଆଗୁଆ, ବିଳମ୍ବ ହେବ ଚୂଡାନ୍ତ ଫଳାଫଳ

ପାଟନା – ବିହାର ବିଧାନସଭାର ୨୪୩ ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି । ସଦ୍ୟତମ ଟ୍ରେଣ୍ଡରୁ ମହାମେଣ୍ଟଠାରୁ ଏନଡିଏ ଅଗ୍ରଣୀ ବଜାୟ ରଖିଛି । ହେଲେ ସରକାର ଗଠନ ପାଇଁ ରେସ୍ ରୋଚକ ହେବାରେ ଲାଗିଛି । ଭୋଟ୍ ଗଣତି ଆରମ୍ଭ ହେଲାବେଳକୁ ମହାମେଣ୍ଟ ବହୁ ଆଗରେ ରହିଥିଲା । ପରେ କିନ୍ତୁ ଚିତ୍ର ବଦଳି ଯାଇଥିଲା । ମହାମେଣ୍ଟକୁ ପଛରେ ପକାଇ ଏବେ ଏନଡିଏ ଆଗେଇ ଚାଲିଛି । ଆହୁରି ଅନେକ ରାଉଣ୍ଡ ଗଣନା ବାକି ଥିବାବେଳେ ଏଭଳି ଧାରା ଆଗକୁ ବି ଜାରି ରହିପାରେ । ଗଣତି ଶେଷ ନ ହେବା ଯାଏଁ ବିହାରରେ କିଏ ସରକାର ଗଢିବ କହିବା ମୁସ୍କିଲ । କାରଣ ସଦ୍ୟତମ ଟ୍ରେଣ୍ଡ୍ ଅନୁଯାୟୀ ଏନଡିଏ ଆଗରେ ଥିଲେ ବି ୧୨୩ ଆସନରେ ଭୋଟ୍ ବ୍ୟବଧାନ ୩୦୦୦ରୁ କମ୍ ରହିଛି । ସେହିପରି ୪୯ ଆସନରେ ବ୍ୟବଧାନ ୧୦୦୦ରୁ କମ୍ ଥିବା ବେଳେ ୭ଟି ଆସନରେ ଏହା ୨୦୦ରୁ କମ୍ ଅଛି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ଏନଡିଏ ଦଳମାନଙ୍କ ମଧ୍ୟରୁ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେବା ସମ୍ଭାବନା ରହିଛି ।

ବିଳମ୍ବ ହୋଇପାରେ ଫଳାଫଳ: ନିର୍ବାଚନ କମିଶନ ଅନୁସାରେ ଏଥର ବିହାର ନିର୍ବାଚନ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ । କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ମତଦାନ କେନ୍ଦ୍ର ସଂଖ୍ୟା ୭୨, ୭୨୩ ରୁ ୧,୦୬,୫୧୫କୁ ବୃଦ୍ଧି କରାଯାଇଛି । ପୋଲିଂ ବୁଥ୍ ସଂଖ୍ୟା ମଧ୍ୟ ୪୬% ବଢିଛି । କୋଭିଡ୍‌-୧୯ ଗାଇଡ୍ ଲାଇନ୍ ଭିତରେ ଭୋଟ୍ ଗଣତି ଚାଲିଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣନା ଜାରି ରହିବା ସମ୍ଭାବନା ରହିଛି । ତେଣୁ ବିହାର ନିର୍ବାଚନର ସ୍ପଷ୍ଟ ଚିତ୍ର ଏଥର ବିଳମ୍ବରେ ମିଳିବ ।

Comments are closed.