ଏମପି ଉପନିର୍ବାଚନ: ଶିବରାଜଙ୍କ ବିଜୟୋତ୍ସବ, ପରାଜୟ ସ୍ୱୀକାର କଲେ କମଲନାଥ

ଭୋପାଳ – ମଧ୍ୟ ପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଶେଷ ଖବର ସୁଦ୍ଧା ବିଜେପି ୨୧ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ ଓ ବିଏସପି ଗୋଟିଏ ଆସନରେ ଆଗୁଆ ରହିିଛି । ଦଳର ଜିତାପଟ ନିଶ୍ଚିତ ଥିବାରୁ ଚୂଡାନ୍ତ ଫଳାଫଳ ଆସିବା ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବିଜୟ ଉତ୍ସବ ପାଳିଛନ୍ତି । ବିକାଶ ଓ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବିଜେପିକୁ ମଧ୍ୟପ୍ରଦେଶ ଜନତା ପୁଣିଥରେ ରାଜ୍ୟର ଶାସନଭାର ଦେବାକୁ ନିଷ୍ପତ୍ତି ନେଇସାରିଛନ୍ତି । ମତଗଣନା ଟ୍ରେଣ୍ଡରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶିବରାଜ ଟ୍ୱିଟ୍ କରିଛନ୍ତି । ପରେ ଦଳୀୟ ନେତାମାନଙ୍କ ସହ ମିଶି ଶିବରାଜ ଉପନିର୍ବାଚନରେ ଦଳର ସଫଳତା ନେଇ ବିଜୟୋତ୍ସବ ପାଳିଥିଲେ । ଉପନିର୍ବାଚନ ଫଳାଫଳ ଉପରେ ଶିବରାଜ ସରକାରର ଭବିଷ୍ୟତ ନିର୍ଭର କରୁଥିଲା ।

ଏଥିପାଇଁ ଶିବରାଜ ସରକାରକୁ କେବଳ ୮ଟି ଆସନରେ ବିଜୟ ଜରୁରୀ ଥିଲା । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଉପନିର୍ବାଚନରେ ନିଜଗ ଦଳର ପରାଜୟ ସ୍ୱୀକାର କରିଛନ୍ତି । ସେ ଜନାଦେଶକୁ ଗ୍ରହଣ କରୁଛନ୍ତି ବୋଲି କମଲନାଥ କହିଛନ୍ତି । ଉପନିିର୍ବାଚନ କମଳନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ଥିଲା । ସାତମାସ ତଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ କଂଗ୍ରେସର ୨୫ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗଦେବା ପରେ କମଲନାଥଙ୍କ ସରକାର ଭାଙ୍ଗିଯାଇଥିଲା । ଉପନିର୍ବାଚନରେ ବିଜେପିରେ ବିଜୟରେ ସିନ୍ଧିଆଙ୍କ ପ୍ରଭାବ ବି ରହିଛି । ସିନ୍ଧିଆ ଗୋଷ୍ଠୀର ଅଧିକାଂଶ ନେତା ଉନିର୍ବାଚନରେ ଆଗୁଆ ରହିଛନ୍ତି ।

Comments are closed.