ସୁପ୍ରିମକୋର୍ଟ ଗଲେ ଅର୍ଣ୍ଣବ

ନୂଆଦିଲ୍ଲୀ – ବମ୍ବେ ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ଅର୍ଣ୍ଣବଙ୍କ ଜାମିନ ଆବେଦନ ବମ୍ବେ ହାଇକୋର୍ଟ ଖାରଜ କରିଦେଇଥିଲେ । ତେବେ ସେ ତଳକୋର୍ଟରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଥିଲେ ।

୨୦୧୮ରେ ଆର୍କିଟେକ୍ଟ ଅନଭୟ ନାୟକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗତ ନଭେମ୍ବର ୪ରେ ମୁମ୍ବାଇ ସ୍ଥିତ ତାଙ୍କ ଲୋଏର ପାରେଲ ବାସଭବନରୁ ଗିରଫ କରାଯାଇଥିଲା । ଅର୍ଣ୍ଣବଙ୍କ ସମେତ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ୍ ଓ ନିତିଶ୍ ସାରଦାଙ୍କୁ ବି ଗିରଫ କରାଯାଇଥିଲା । ଏହି ତିନି ଜଣ ଅନଭୟ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗ ହୋଇଥିଲା । ତିନି ଅଭିଯୁକ୍ତ ତାଙ୍କୁ ୫ କୋଟିରୁ ଊର୍ଦ୍ଧ୍ୱ ବକେୟା ଅର୍ଥ ଦେଇନଥିଲେ ବୋଲି ଅନଭୟଙ୍କ ସୁଇସାଇଡ୍ ନୋଟ୍ ରେ ଉଲ୍ଳେଖ ରହିଥିଲା ।

ଗିରଫ ପରେ ଅର୍ଣ୍ଣବଙ୍କୁ ରାୟଗଡ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ନଭେମ୍ବର ୧୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅର୍ଣ୍ଣବଙ୍କୁ ରାୟଗଡ ସ୍ଥିତ ଅଲିବାଗରେ ଏକ ସ୍କୁଲରେ ତିଆରି ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ତେବେ ସେଠାରେ ସେ ମୋବାଇଲ୍ ଫୋନ ବ୍ୟବହାର କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଅଭିଯୋଗ ପରେ ତାଙ୍କୁ ରବିବାର ନବି ମୁମ୍ବାଇ ସ୍ଥିତ ତାଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।

Comments are closed.