ଜେଲ୍ ରୁ ବାହାରିଲେ ଅର୍ଣ୍ଣବ, କହିଲେ ଲୋକଙ୍କ ବିଜୟ

ନୂଆଦିଲ୍ଲୀ – ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ବୁଧବାର ମହାରାଷ୍ଟ୍ରର ତାଲୋଜା ଜେଲରୁ ମୁକୁଳିଛନ୍ତି । ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗତ ୮ ଦିନ ଧରି ଜେଲରେ ଥିଲେ । ସୁପ୍ରିମକୋର୍ଟରୁ ଆଜି ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଜେଲରୁ ବାହାରିବା ପରେ ଅର୍ଣ୍ଣବ “ଭାରତ ମାତା କି ଜୟ” ସ୍ଲୋଗାନ୍ ଦେଇଥିଲେ । ଏହାକୁ ସେ ଭାରତୀୟ ଜନତାଙ୍କ ବିଜୟ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ।

ଅର୍ଣ୍ଣବ ଜେଲରୁ ବହାରିବା ସମୟରେ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । ଅର୍ଣ୍ଣବଙ୍କ ସହ ରାଜ୍ୟର ବହୁ ପୋଲିସକର୍ମୀ ଉପସ୍ଥିତ ଥିଲେ ।
ଆଜି ଅପରାହ୍ନରେ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଯଦି କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଉଛି, ତେବେ ଏହା ନ୍ୟାୟର ବିଡମ୍ବନା ହେବ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଅବକାଶ କାଳୀନ ଖଣ୍ଡପୀଠ କହିଥିଲେ ଯେ, ରାଜ୍ୟ ସରକାର ଯଦି ଲୋକଙ୍କ ବିରୋଧରେ ଜାଣିଶୁଣି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ ଜାଣିବାକୁ ହେବ ଯେ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବାକୁ ସୁପ୍ରିମକୋର୍ଟ ଅଛି । ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ନୀତିଶ ଶାରଦା ଓ ଫିରୋଜ ମହମ୍ମଦଙ୍କୁ ବି ୫୦ ହଜାର ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ମୁକ୍ତ କରିବାକୁ ଆଦେଶ ଦେଇଥିଲେ ।

ଉଲ୍ଳେଖଯୋଗ୍ୟ, ଆର୍କିଟେକ୍ଟ ଅନଭୟ ନାୟକ ଓ ତାଙ୍କ ମା’ଙ୍କ ଆତ୍ମହତ୍ୟା ମାମଲାରେ ନଭେମ୍ବର ୪ରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୋଲିସ୍ ତାଙ୍କ ମୁମ୍ବାଇ ସ୍ଥିତ ଲୋଏର ପାରେଲ ବାସଭବନରୁ ଗିରଫ କରିଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ଶାରଦା ଓ ମହମ୍ମଦଙ୍କୁ ବି ଗିଫର କରାଯାଇଥିଲା । ୨୦୧୮ରେ ଅନଭୟ ଓ ତାଙ୍କ ମା’ ଆତ୍ମହତ୍ୟା କରିଥିଲେ । ଅର୍ଣ୍ଣବଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ତାଙ୍କୁ ୫ କୋଟିରୁ ଊର୍ଦ୍ଧ୍ୱ ବକେୟ ଆର୍ଥ ଦେଇନଥିଲେ ବୋଲି ଅନଭୟଙ୍କ ଘରୁ ମିଳିଥିବା ସୁଇସାଇଡ୍ ନୋଟରେ ଉଲ୍ଳେଖ ଥିଲା ।

Comments are closed.