ଆଇପିଏଲ୍ ୨୦୨୧ରେ ୯ ଦଳ !

କରୋନା ମହାମାରୀ ମଧ୍ୟରେ ବିସିସିଆଇ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ ସୁରକ୍ଷିତ ଭାବେ ଆୟୋଜନ କରିବାରେ ସଫଳ ହୋଇଛି । ଆଇପିଏଲ୍-୨୦୨୦ ଶେଷ ହେବା ପରେ ଏବେ ବିସିସିଆଇ ଆଇପିଏଲର ୧୪ତମ ସିଜିନକୁ ସଫଳ କରିବାକୁ ନଜର ରଖିଛି। ଏହାରି ଭିତରେ ଖବର ଆସିଛି ଯେ ଆଇପିଏଲ୍ ୨୦୨୧ରେ ୮ ପରିବର୍ତ୍ତେ ୯ଟି ଦଳ ଖେଳାଇବା ପାଇଁ ବିସିସିଆଇ ବିଚାର କରୁଛି। ଯଦି ଏହା ପ୍ରକୃତରେ ଘଟେ, ତେବେ ଆସନ୍ତା ବର୍ଷ ଆରମ୍ଭରେ ମେଗା ଆଇପିଏଲ୍ ନିଲାମ ଦେଖିବାକୁ ମିଳିବ । ‘ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ୍ ୨୦୨୧ରେ ଏକ ନୂଆ ଦଳ ଯୋଡିବାକୁ ଚିନ୍ତା କରୁଛି ଏବଂ ଏହି ଦଳ ଗୁଜୁରାଟର ହୋଇପାରେ। ଯଦି ବିସିସିଆଇ ଏହା କରେ, ତେବେ ମେଗା ନିଲାମରେ ସବୁ ଦଳରେ ବଡ଼ ପରିବର୍ତ୍ତନ ହେବ ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ନିଲାମ ସାଧାରଣତଃ ଡିସେମ୍ବର ମାସରେ ହୋଇଥାଏ, କିନ୍ତୁ ଏଥର କୋଭିଡ କାରଣରୁ ଆଇପିଏଲ୍ ବିଳମ୍ବରେ ହୋଇଥିଲା । ତେଣୁ ପରବର୍ତ୍ତୀ ସିଜନ୍ ପାଇଁ ନିଲାମ ଜାନୁୟାରୀ ୨୦୨୧ରେ ଅନୁଷ୍ଠିତ ହୋଇପାରେ ।

ନିକଟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଥିଲେ ଯେ, ସେ ଭାରତରେ ଆଇପିଏଲ୍ ୨୦୨୧ ଆୟୋଜନ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବେ। କିନ୍ତୁ ଏଥି ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ସେ ଏହା କରିବାରେ ଅସମର୍ଥ, ତେବେ ୟୁଏଇ ତାଙ୍କର ଦ୍ବିତୀୟ ବିକଳ୍ପ ହେବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ଏବଂ ୨୦୧୭ରେ ଗୁଜୁରାଟର ଏକ ଦଳ ଆଇପିଏଲରେ ଅଂଶଗ୍ରହଣ କରିଥିଲା । ଏହି ଦଳର ନାମ ଗୁଜୁରାଟ ଲାୟନ୍ସ ଥିଲା । ସୁରେଶ ରାଇନା ଏହାର ଅଧିନାୟକ ଥିଲେ। ୨୦୧୬ରେ ଏହି ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ପ୍ଲେ-ଅଫ୍ ରେ ପହଞ୍ଚିଥିଲା ବେଳେ ୨୦୧୭ରେ ସପ୍ତମ ସ୍ଥାନ ହାସଲ କରିଥିଲା ।

Comments are closed.