ପାକିସ୍ତାନରେ ୨୦ ବର୍ଷ ବନ୍ଦୀ ଜୀବନ କାଟିଲା ପରେ ଓଡିଶା ଫେରିଲେ ସୁନ୍ଦରଗଡ ଜିଲ୍ଲାର ବିରଜୁ କୁଲୁ, ପ୍ରଶାସନର ସହାୟତାରେ ସଡକପଥରେ ଅମୃତସରରୁ ଆସିଲେ

ସୁନ୍ଦରଗଡ-ପାକିସ୍ତାନ ଜେଲରେ ଦୀର୍ଘ ୨୦ ବର୍ଷ ବିତାଇଲା ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଭାରତ ଫେରିଥିବା ବିରଜୁ କୁଲୁ ନିଜ ଗାଁ ସୁନ୍ଦରଗଡ ଜିଲ୍ଲା କୁତ୍ରା ପ୍ରତ୍ୟାବର୍ତନ କରିଛନ୍ତି । ସେ ମାନସିକ ଅନଗ୍ରସର ହୋଇଥିବାରୁ ବିଶେଷ କିଛି କଥାବାର୍ତା କହିପାରୁନାହାନ୍ତି କି କିଛି କଥା ମନେ ପକାଇପାରୁନାହାନ୍ତି । ଓଡିଆ କହିବା ବି ସେ ଭୁଲି ଯାଇଛନ୍ତି । ପାକିସ୍ତାନ ସରକାର ବିରଜୁଙ୍କୁ ଭାରତକୁ ହସ୍ତାନ୍ତର କଲା ପରେ ପଞ୍ଜାବର ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବିରଜୁ । ଏ ସଂପର୍କରେ ସୁନ୍ଦରଗଡ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରଶାସନ ବିରଜୁଙ୍କୁ ଅମୃତସରରୁ ଆଣିବାକୁ ସମସ୍ତ ବ୍ୟବସ୍ଥା କରିଥିଲା । ତାଙ୍କୁ ଆଣିବା ପାଇଁ କୁତ୍ରା ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଦନ ସିଂ ଅମୃତସର ଯାଇଥିଲେ । ଏକ ବଲେରୋ ଯୋଗେ ଅମୃତସରରୁ ବିରଜଙ୍କୁ ସୁନ୍ଦରଗଡ ଜିଲ୍ଲା କୁତ୍ରାକୁ ଅଣାଯାଇଛି । ବିରଜୁଙ୍କ ଘରବାହୁଡାକୁ ତାଙ୍କ ଜନ୍ମମାଟି ଚାହିଁ ବସିଥିଲା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗଜଙ୍ଗର ପଡାର ବାସିନ୍ଦା ହେଉଛନ୍ତି ମାରକୁସ କୁଲୁ ଓରଫ ବିରଜୁ । ସେ ଥିଲେ ମାନସିକ ଅନଗ୍ରସର । ଆଜିକୁ ୨୫ ବର୍ଷ ତଳେ ସେ ଘରଛାଡି ଝାଡଖଣ୍ଡକୁ ଚାଲିଯାଇଥିଲେ । ସେଠାରୁ ପୁଣି ସେ କୁଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କଲା ପରେ ନିରାଶ ହୋଇଥିଲେ । ତାଙ୍କୁ ଅପେକ୍ଷା କରି ବାପା ମାଆ ଆରପାରିକପ ଚାଲିଗଲେଣି । ଏବେ ଏକମାତ୍ର ବଡ ଭଉଣୀ ହିଁ ଅଛନ୍ତି । ସେ ଓ ଗାଁ ଲୋକେ ବିରଜୁଙ୍କୁ ମୃତ ବୋଲି ଧରିନେଇଥିଲେ । କିନ୍ତୁ ହଠାତ୍ ଜଣାପଡିଥିଲା ଯେ, ବିରଜୁ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ସେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବାରୁ ତାଙ୍କୁ ଗୁପ୍ତଚର ଭାବି ପାକ୍ ସୈନ୍ୟମାନେ ଧରିଥିଲେ । ଏହା ପରେ ତାଙ୍କୁ ଲାହୋର ଜେଲ୍ ପଠାଇ ଦିଆଯାଇଥିଲା । ଏହା ଜଣାପଡିବା ପରେ ତାଙ୍କୁ ମୁକୁଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗତମାସ ୨୬ ତାରିଖରେ ତାଙ୍କୁ ମୁକ୍ତ କରାଯାଇଥିଲା । ପାକିସ୍ତାନୀ ସୈନ୍ୟ ତାଙ୍କୁ ୱାଘା ସୀମାରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

Comments are closed.