ଟିକା ଉପଲବ୍ଧତା ଓ ଡବ୍ଲୁଏଚ୍‌ଓ ଗାଇଡ୍ ଲାଇନ୍‌କୁ ଅଣଦେଖା କରିଛନ୍ତି ସରକାର: ସେରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଦେଶରେ ଟିକାର ଉତ୍କଟ ଅଭାବ ନେଇ ଚାରିଆଡୁ ସାମଲୋଚିତ ହେଉଥିବା ମୋଦି ସରକାର କିପରି ତରବରିଆ ଭାବେ ସବୁ ବୟସ ବର୍ଗ ପାଇଁ ଟିକାକରଣକୁ ଅନୁମତି ଦେଇଥିଲେ ତାହା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଯାଦବ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି । ଟିକା ଉପଲବ୍ଧତା କଥା ବିଚାର ନ କରି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ଗାଇଡ୍ ଲାଇନ୍‌ର ଅଣଦେଖା କରି ସରକାର ଟିକାକରଣର ପ୍ରସାର କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଯାବଦ ଅଭିଯୋଗ କରିଛନ୍ତି । ଟିକାକରଣକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ସରକାର ଡବ୍ଲୁଏଚ୍‌ଓର ଗାଇଡ୍ ଲାଇନ୍ ପାଳନ କରିବା ଉଚିତ ଥିଲା ବୋଲି ଯାଦବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଭର୍ଚୁଆଲ ସମ୍ମିଳନୀରେ କହିଛନ୍ତି ।

ଯାଦବ କହିଛନ୍ତି ଯେ, ଦେଶରେ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ସ୍ଥିର ହୋଇଥିଲା । ଏଥିପାଇଁ ୬୦ କୋଟି ଟିକା ଡୋଜ୍‌ର ଆବଶ୍ୟକତା ଥିଲା । କିନ୍ତୁ ଆମେ ଏହି ଲକ୍ଷ୍ୟ ହାସଲ କରିବା ପୂର୍ବରୁ ହିଁ ଟିକା ଉପଲବ୍ଧତା ବିଷୟରେ ଚିନ୍ତା ନ କରି ସରକାର ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ଅନୁମତି ଦେଇଥିଲେ ।

ଏଭଳି ଭୁଲ୍ ଆମ ପାଇଁ ଏକ ବଡ଼ ଶିକ୍ଷା ଥିଲା । ଆମେ ଉତ୍ପାଦର ଉପଲବ୍ଧତା ଅନୁସାରେ ଏହାର ଉପଯୋଗ କରିବା ଉଚିତ ବୋଲି ଯାଦବ କହିଛନ୍ତି ।

ଟିକାକରଣ ଜରୁରୀ । କିନ୍ତୁ ଟିକା ନେବା ପରେ ମଧ୍ୟ ଲୋକ ସଂକ୍ରମିତ ହେଉଛନ୍ତି । ସେଥିପାଇଁ ଲୋକଙ୍କୁ ଟିକା ନେବା ପରେ ମଧ୍ୟ କୋଭିଡ୍ ନିୟମ ମାନି ଚଳିବା ଉଚିତ । ଭାରତରେ ଦେଖା ଦେଇଥିବା କୋଭିଡ୍ ଭୂତାଣରୁ ଡବଲ ମ୍ୟୁଟାଣ୍ଟ୍ ଷ୍ଟ୍ରେନ ଉପରେ ଟିକା ପ୍ରଭାବୀ ସାବ୍ୟସ୍ତ ହୋଇଛି । ତଥାପି କିଛି ଷ୍ଟ୍ରେନ୍ ଟିକାକରଣକୁ ନିଷ୍ଫଳ କରିପାରନ୍ତି ବୋଲି ଯାଦବ କହିଛନ୍ତି ।

Comments are closed.