ପଶ୍ଚିମ ଓଡ଼ିଶାରେ ଖସୁଛି ସଂକ୍ରମଣ: କୋଭିଡ୍ ଲଢ଼େଇରେ ସହାୟକ ହେଉଛି ବିରାଟ ଭିତ୍ତିଭୂମି, ଭିମସାର ଉପରେ କମିଲା ଚାପ

ସମ୍ବଲପୁର : ଛତିଶଗଡ କରୋନାର ଦ୍ବିତୀୟ ଲହରରେ ଏକପ୍ରକାର ସାରା ଦେଶର ଅନ୍ୟତମ ହଟସ୍ପଟ ପାଲଟିଥିଲା । ଆଉ ସେଠିକାର ସଂକ୍ରମଣ ପାଇଁ ପଶ୍ଚିମ ଓଡ଼ିଶା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା । ଏପରିକି ଏହି ଦ୍ବିତୀୟ ଲହରରେ ପଶ୍ଚିମ ଓଡ଼ିଶାର ସମସ୍ତ ଅପହଞ୍ଚ ଇଲାକାରେ ବି ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ , ସାରା ଓଡିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ଅଧା କେବଳ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବାହାରୁଥିଲେ । ହେଲେ ବର୍ତ୍ତମାନ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁଡିକର ସଫଳ ରଣନୀତି ଯୋଗୁଁ କିଛିଦିନ ହେଲା ସଂକ୍ରମଣ ହାର ଉଲ୍ଲେଖନୀୟ ଭାବେ ହ୍ରାସ କରିଛି । ଏପରିକି କିଛି ଦିନ ହେଲା ବୁର୍ଲା ଭିମସାର ସମେତ ବିଭିନ୍ନ କୋଭିଡ ହସପିଟାଲରେ ଏବେ ଅନେକ ବେଡ୍ ଖାଲି ପଡୁଥିବା ବି ଦେଖିବାକୁ ମିଳୁଛି । ତେବେ , ଏହି ସଫଳତା ପଛରେ ଯୁଦ୍ଧକାଳୀନ ଭିତିରେ ସରକାର ପ୍ରସ୍ତୁତ କରିଥିବା ବିରାଟ ଭିତିଭୂମି ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି ।

ଗତ ପ୍ରାୟ ମାସେ ଧରି ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଆକାଶଛୁଆଁ ରହୁଥିଲା । କେବଳ ଏହି ୧୦ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୬ ହଜାର ପର୍ଯ୍ୟନ୍ତ ଛୁଇଁବାରେ ଲାଗିଥିଲା । ଖାଲି ସୁନ୍ଦରଗଡ ଜିଲ୍ଲାରୁ ସଂକ୍ରମଣ ୨ ହଜାର ଯାଏ ପହଞ୍ଚି ଯାଇଥିଲା । ସେହିପରି ସମସ୍ତ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ସଂକ୍ରମଣ ଚିନ୍ତାଜନକ ଭାବେ ବଢି ଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ , ଲୋକଙ୍କୁ ଡାକ୍ତରଖାନାରେ ବେଡ୍‌ ମିଳିବା ବି କଷ୍ଟକର ହୋଇଯାଉଥିଲା । ହେଲେ କିଛିଦିନ ହେଲା ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଦ୍ରୁତ ଭାବେ ଖସିବାରେ ଲାଗିଛି । ବିଶେଷ କରି ସପ୍ତାହେ ମଧ୍ୟରେ ସଂକ୍ରମଣ ୩୦ ପ୍ରତିଶତ ଖସିଗଲାଣି । ଆଉ ଏବେ ଆଗ ଭଳି ଆଉ ବେଡ୍ ଟିଏ ପାଇବାରୁ ପ୍ରତିଯୋଗିତା କରିବାକୁ ପଡୁନାହିଁ ।

ବିଶେଷ କରି ଗତ ୪ ଦିନ ମଧ୍ୟରେ ସମଗ୍ର ପଶ୍ଚିମ ଓଡିଶାରେ ସଂକ୍ରମଣ ନିମ୍ନଗାମୀ ରହୁଥିବା ଦେଖିବାକୁ ମିଳିଛି । କେବଳ ଛତିଶଗଡ଼ ସୀମାନ୍ତ ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଗତ ସପ୍ତାହ ସୁଦ୍ଧା ଖସିଥିବା ସଂକ୍ରମଣ ହାର ପ୍ରାୟତଃ ସ୍ଥିର ରହୁଥିବା ଦେଖିବାକୁ ମିଳିଛି । ବାକି ସମସ୍ତ ଜିଲ୍ଲାରେ ଦ୍ରୁତ ହାରରେ ଖସୁଛି । ବରଗଡ ଜିଲ୍ଲାରେ ଗତ ୨୩ ତାରିଖରେ ୩୬୭ , ୨୪ରେ ୩୨୩ , ୨୫ରେ ୨୫୭ ଏବଂ ଗତକାଲି ୪୦୫ ରହିଛି । ସେହିପରି ବଲାଙ୍ଗୀରରେ ଗତ ୨୩ରେ ୧୬୬ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୪୪କୁ ଖସିଛି । ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି । ଦେବଗଡ ଜିଲ୍ଲାରେ ଗତ ୨୩ରେ ୧୦୩ ଚିହ୍ନଟ ହୋଇଥିବା ବେଳେ କ୍ରମାଗତ ଏହି ସଂଖ୍ୟା ଖସି ଗତକାଲି ସୁଦ୍ଧା ଏହା ୬୪ରେ ପହଞ୍ଚିଛି । ଝାରସୁଗୁଡାରେ ଦେଶର ପ୍ରତିଟି ପ୍ରାନ୍ତକୁ ସଂଯୋଗ କରୁଥିବା ଅନ୍ୟତମ ବ୍ୟସ୍ତବହୁଳ ରେଳ ଷ୍ଟେସନ୍ ସମେତ ଏୟାରପୋର୍ଟ ଥିବା ସତ୍ତ୍ୱେ ଏବଂ ଛତିଶଗଡ଼ ସୀମାନ୍ତ ଥିବା ସତ୍ତ୍ୱେ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଗତ ୨୩ରେ ଏଠାରେ ୨୨୮ ଚିହ୍ନଟ ହୋଇଥିବା ବେଳେ ଗତକାଲି ସୁଦ୍ଧା ଏହା ୧୨୦କୁ ଖସି ଆସିଛି ।

ସେହିପରି କଳାହାଣ୍ଡିରେ ଗତ ୨୩ରେ ୪୦୭ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ୨୪୧କୁ ଖସିଛି । ନୂଆପଡ଼ାରେ ପୂର୍ବରୁ ଶତାଧିକ ଚିହ୍ନଟ ହେଉଥିବା ବେଳେ ଗତକାଲି ସୁଦ୍ଧା ଏହା ୪୮କୁ ଖସି ଆସିଛି । ସେହିପରି ସୋନପୁରରେ ୩ ଦିନ ତଳେ ୨୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗତକାଲି ମାତ୍ର ୮୨ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ସେହିପରି ୨ ସପ୍ତାହ ତଳେ ୧୫ ଶହ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଥିବା ବେଳେ ଏହା ୮ ଶହ ତଳେ ରହୁଛି । ଗତକାଲି ୭୨୦ ଚିହ୍ନଟ ହୋଇଛନ୍ତି । ତେବେ , ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ସମ୍ବଲପୁର ଜିଲ୍ଲାରେ ଟେଷ୍ଟ୍ ସଂଖ୍ୟା ବଢ଼ାଇବା ସଙ୍ଗେ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାରେ ଲାଗିଛି । ସପ୍ତାହେ ତଳେ ଏଠାରେ ସର୍ବାଧିକ ୬୭୭ ପର୍ଯ୍ୟନ୍ତ ଦୈନିକ ସଂକ୍ରମଣ ଛୁଇଁ ସାରିଥିଲା । ହେଲେ ଗତ ୪ ଦିନ ହେଲା କ୍ରମାଗତ ଭାବେ ଖସିବାରେ ଲାଗିଛି । ୨୩ରେ ୩୭୯ ଚିହ୍ନଟ ହୋଇଥିବା ବେଳେ ୨୪ରେ ୩୧୯ , ୨୫ରେ ୩୪୨ ଏବଂ ଗତକାଲି ୩୦୯ ଚିହ୍ନଟ ହୋଇଛନ୍ତି ।

ମୋଟ୍ ଉପରେ ଏହି ନିମ୍ନଗାମୀ ସଂକ୍ରମଣ ପଛରେ ପ୍ରଶାସନ ଏବଂ ସରକାରଙ୍କ ସୁଚିନ୍ତିତ ରଣନୀତି ସାଙ୍ଗକୁ ଯୁଦ୍ଧକାଳୀନ ଭିତିରେ ନିର୍ମାଣ ହୋଇଥିବା ବିରାଟ ଭିତ୍ତିଭୂମି ବିଶେଷ କାମ ଦେଇଥିବା କୁହାଯାଉଛି । କେବଳ ଏହି ମାସକ ମଧ୍ୟରେ ବୁର୍ଲା ଭିମସାର ପରିସରରେ ଦୁଇ ଦୁଇଟି କୋଭିତ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇ ୫୨୫ ଟି ଶଯ୍ୟ ଉପଲବ୍ଧ କରାଯାଇଛି । ଏଥିରୁ ଶହେ ଟି କେବଳ ଆଇସିୟୁ ବେଡ୍ ରହିଛି । ସେହିପରି ଅଶ୍ବିନୀ ହସପିଟାଲ ସହଭାଗିତାରେ ସମ୍ବଲପୁର ଡିଏଚ୍ଏଚ୍ ରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ମାତ୍ର ଦିନ କେଇଟା ମଧ୍ୟରେ ଛିଡା ହୋଇପାରିଛି । ଏହି ମାସକ ମଧ୍ୟରେ ଜିଲ୍ଲାରେ ମୋଟ୍ ୭୨୫ ଶଯ୍ୟର ୫ଟି ହସପିଟାଲ କାର୍ଯ୍ୟକ୍ଷମ ହୋଇପାରିଛି । ଆଉ ଏହା ହିଁ ସମଗ୍ର ପଶ୍ଚିମ ଓଡିଶାର କୋଭିଡ୍ ମୁକାବିଲାକୁ ନୂତନ ବଳ ଦେଇଛି । ଏହାବାଦ୍ ରାଉରକେଲାରେ ୫ଟି କୋଭିଡ୍ ହସପିଟାଲ ସାଙ୍ଗକୁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଅତ୍ୟାଧୁନିକ କୋଭିଡ୍ ହସପିଟାଲ ରୋଗୀଙ୍କ ସେବାରେ ସମର୍ପିତ ହେବାକୁ ଏହା ମହାମାରୀ ନିୟନ୍ତ୍ରଣକୁ ଆସିଥିବା କୁହାଯାଉଛି ।

ଅପରପକ୍ଷେ , ଟେଷ୍ଟି ବଢାଇବା ସହିତ ଡୋର କ୍ୟାମ୍ପେନ , ଛତିଶଗଡ ସୀମା ସିଲ୍ ଏବଂ ବ୍ୟାପକ ଟିକାକରଣ ଆଦି ବିଭିନ୍ନ ପଦକ୍ଷେପ ଏହି ଦ୍ବିତୀୟ ଲହରକୁ ସଫଳତାର ସହ ଅତିକ୍ରମ କରିବାରେ ସହାୟକ ହୋଇଥିବା ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।

Comments are closed.