କରୋନା ଅପଡେଟ୍‌: ସଂକ୍ରମଣର ନିମ୍ନଗାମୀ ଗତି ଜାରି, ଦିନକରେ ୧.୬୫ ଲକ୍ଷ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୁର୍ବଳ ହେବାରେ ଲାଗିଛି । ସଂକ୍ରମଣର ନିମ୍ନଗାମୀ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୬୫,୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୪୬ ଦିନରେ ଏହି ସଂଖ୍ୟା ହେଉଛି ସବୁଠୁ କମ୍ ।

ସଂକ୍ରମଣ ଖସୁଥିଲେ ମଧ୍ୟ ଦୈନିକ ମୃତ୍ୟୁସଂଖ୍ୟା ଏବେ ବି ୩୦୦୦ ଉପରେ ରହୁଛି । ଦିନକରେ ଏହି ମହାମାରୀରେ ଆଉ ୩୪୬୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କୋଭିଡ୍‌-୧୯ରୁ ଆଉ ୨ ଲକ୍ଷ ୭୬ ହଜାର ୩୦୯ ରୋଗୀ ସୁସ୍ଥ ହୋଇଛନ୍ତି ।

ଶୁକ୍ରବାର ଦୈନିକ ସଂକ୍ରମଣ ୧୭୩,୭୯୦ ଥିଲା ଏବଂ ଏହି ରୋଗରେ ଆଉ ୩୬୭୧ ଜଣ ପ୍ରାଣ ହରାଇଥିଲେ । ଆଜି ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁହାର ଅପେକ୍ଷାକୃତ କମିଛି ।

ଭାରତରେ ଏବେ କୋଭିଡ୍‌-୧୯ର ମୋଟ ମାମଲା ୨କୋଟି ୭୮ ଲକ୍ଷ ୯୪ ହଜାର ୮୦୦ରେ ପହଞ୍ଚିଛି । ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦କୁ ବୃଦ୍ଧି ପାଇଥିବା ବେଳେ ଏଯାବତ୍ ୩ ଲକ୍ଷ ୨୫ ହଜାର ୯୭୨ ଜଣ ପ୍ରାଣ ହରାଇଛନ୍ତି । ଭାରତରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଶନିବାର ସୁଦ୍ଧା ଦେଶରେ ମୋଟ ୨୧ ଲକ୍ଷ ୧୪ ହଜାର ୫୦୮ ସକ୍ରିୟ ରୋଗୀ ଅଛନ୍ତି ।
ଗତ ୨୪ ଘଣ୍ଟାରେ ଦେଶରେ ୩୦ ଲକ୍ଷ ୩୫ ହଜାର ୭୪୯ କୋଭିଡ୍ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ମୋଟ ୨୧ କୋଟି ୨୦ ଲକ୍ଷ ୬୬ ହଜାର ୬୧୪ ଟିକା ଡୋଜ୍ ଦିଆଯାଇଛି ।

Comments are closed.