ଗିରଫ ହେବା ପରେ ସାମ୍ନାକୁ ଆସିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିର ପ୍ରଥମ ଫଟୋ, ଶରୀରରେ କ୍ଷତ ଚିହ୍ନ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନ୍‌ବି) ଋଣ ଠକେଇ ମାମଲାର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସି ଡୋମିନିକାରେ ଗିରଫା ହେବା ପରେ ତାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଫଟୋରେ ସେ ଡୋମିନିକାର କେଉଁ ଏକ ଜେଲ୍‌ରେ ଥିବା ଜଣାପଡୁଛି । ବର୍ତ୍ତମାନ ଚୋକ୍‌ସି ଡୋମିନିକାର ସିଆଇଡି ହେପାଜତରେ ଅଛି । ଆଣ୍ଟିଗୁଆରୁ ଫେରାର୍ ହେବା ପରେ ତାକୁ ଚାରି ଦିନ ତଳେ ଡୋମିନିକାରେ ଗିରଫ କରାଯାଇଥିଲା ।

ଡୋମିନିକାରେ ଅବୈଧ ଭାବେ ପ୍ରବେଶ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା ।
ଆଉ ଏକ ଫଟୋରେ ମେହୁଲ ଚୋକ୍‌ସି ଜେଲ୍‌ରୁ ତାର ହାତକୁ ବାହାରକୁ କାଢ଼ିଥିବା ଦେଖିବାକୁ ମିଳୁଛି । ତାର ହାତରେ କ୍ଷତ ଚିହ୍ନ ଥିବାର ମଧ୍ୟ ସ୍ପଷ୍ଟ ଜଣାପଡୁଛି । ଚୋକ୍‌ସିର ଏହି ଫଟୋ ଗୁଡିକୁ ଆଣ୍ଟିଗୁଆ ଗଣମାଧ୍ୟମ ପକ୍ଷରୁ ଜାରି କରାଯାଇଛି । ଚୋକ୍‌ସି ଅଭିଯୋଗ କରିଛି ଯେ, ଜେଲ୍‌ରେ ତାକୁ ମାଡ଼ ମରାଯାଇଛି ।

ଆଣ୍ଟିଗୁଆ ଓ ବାର୍ବୁଡାରୁ ଚୋକ୍‌ସି କିଛିଦିନ ତଳେ ହଠାତ୍ ଗାଏବ୍ ହୋଇଯାଇଥିଲା । ଚାରି ଦିନ ପରେ ସେ ଡୋମିନିକାରୁ ଗିରଫ ହୋଇଥିଲା । ଆଣ୍ଟିଗୁଆ ସରକାର ତାକୁ ଆଉ ନେବାକୁ ମନା କରିଛନ୍ତି । ବରଂ ଭାରତକୁ ତାକୁ ପ୍ରତ୍ୟର୍ପଣ କରିବାକୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଡୋମିନିକା ସରକାରକୁ ଅନୁରୋଧ କରିଛନ୍ତି । ହେଲେ ଚୋକ୍‌ସିକୁ ଭାରତ ପ୍ରତ୍ୟର୍ପଣ ଉପରେ ଡୋମିନିକା କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ (ପିଏନ୍‌ବି)ର ପ୍ରାୟ ୧୪ ହଜାର କୋଟି ଋଣ ଠକେଇ ମାମଲାରେ ଚୋକ୍‌ସି ଓ ତାର ପୁତୁରା ନୀରମ ମୋଦି ମୁଖ୍ୟ ଅଭିଯୁକ୍ତ । ନୀରବ ମୋଦି ବର୍ତ୍ତର୍ମାନ ଲଣ୍ଡନର ଏକ ଜେଲରେ ଅଛି । ଉଭୟଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଚାଲିିଛି ।

Comments are closed.