ଏସିଆଡ୍ ସ୍ୱର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ବିଜେତା ବକ୍ସର ଡିଙ୍କୋ ସିଂଙ୍କ ପରଲୋକ ହୋଇଯାଇଛି । ସେ କିଛି ବର୍ଷ ଧରି ଲିଭର କ୍ୟାନସରରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଡିଙ୍କୋ ୨୦୧୭ରୁ କ୍ୟାନ୍‌ସର ସହ ସଂଘର୍ଷ କରୁଥିଲେ । ଗତବର୍ଷ ସେ କୋଭିଡ୍‌-୧୯ରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ପରେ ସେ ଏହି ମହାମାରୀରୁ ମୁକୁଳିଥିଲେ ।

ଡିଙ୍କୋ ୧୯୯୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିବର୍ଷ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୩ରେ ଡିଙ୍କୋଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ମିଳିଥିଲା । ସେ ନୌସେନାରେ ଚାକିରି କରୁଥିଲେ । ବକ୍ସିଂରୁ ଅବସର ନେବା ପରେ ଡିଙ୍କୋ କୋଚିଂରେ ମନୋନିବେଶ କରିଥିଲେ ।

ଡିଙ୍କୋଙ୍କ ବିୟୋଗରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଦୁଃଖ ପ୍ରକାଶ କରିଛନ୍ତି । ଡିଙ୍କୋ ଭାରତର ଅନ୍ୟତମ ଶ୍ରେଷ୍ଠ ବକ୍ସର ଥିଲେ । ୧୯୯୮ ଏସିଆନ୍ ଗେମ୍ସରେ ତାଙ୍କର ସ୍ୱର୍ଣ୍ଣ ପଦକ ସଫଳତା ଭାରତୀୟ ବକ୍ସିଂର ବିକାଶରେ ସହାୟକ ହୋଇଥିଲା । ଶୋକ ସନ୍ତପ୍ତ ପରିବାରକୁ ମୋର ସମବେଦନା ବୋଲି ରିଜିଜୁ ଟ୍ୱିଟ୍ କରିଛନ୍ତି । ସେହିପରି ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ବକ୍ସର ବିଜେନ୍ଦର ସିଂ ମଧ୍ୟ ଡିଙ୍କୋଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । କ୍ର୍ରୀଡ଼ା କ୍ଷେତ୍ରରେ ତାଙ୍କର ଯାତ୍ରା ଓ ସଂଘର୍ଷ ଆଗାମୀ ପିଢ଼ି ପାଇଁ ପ୍ରେରଣା ସାଜିବ । ଏଭଳି କଠିନ ପରିସ୍ଥିତିର ସାମ୍ନା କରିବାକୁ ଶୋକ ସନ୍ତପ୍ତ ପରିବାରକୁ ଶକ୍ତି ଦେବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ବିଜେନ୍ଦର ଟ୍ୱିଟ୍ କରି କହୁଛନ୍ତି ।

Comments are closed.