ମୁମ୍ବାଇ: କୋଠା ଭୁଶୁଡ଼ି ୧୧ ମୃତ

ମୁମ୍ବାଇ: ମୁମ୍ବାଇର ମାଲାଡ଼ ୱେଷ୍ଟରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡିବାରୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ନ୍ୟୁ କଲେକ୍ଟର କମ୍ପାଉଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୮ ଜଣ ଛୋଟପିଲା ଅଛନ୍ତି । ଧ୍ୱଂସାବଶେଷ ଭିତରୁ ୧୮ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କାରାଯାଇଥିବା ବୃହନ୍ ମୁମ୍ବାଇ ପୌର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

କୋଠା ଭୁଶୁଡ଼ିବା ଘଟଣାରେ କୋଠାର ମାଲିକ ଓ ଠିକାଦାର ନାମରେ ଏଫ୍‌ଆଇଆର ରୁଜୁ କରାଯାଇଛି । ନିକଟରେ ବାତ୍ୟା ‘ତୌକତେ’ ପରେ ମାଲିକ ଓ ଠିକାଦାର ଉକ୍ତ କୋଠାରେ କିଛି ଢ଼ାଞ୍ଚାଗତ ପରିବର୍ତ୍ତନ କରିଥିଲେ । ମୁମ୍ବାଇର ଯୁଗ୍ମ ପୋଲିସ କମିଶନର (ଆଇନ ଶୃଙ୍ଖଳା) ବିଶ୍ୱାସ ନାଙ୍ଗରେ ପାଟିଲ ଏହି ସୂଚନା ଦେଇଛନ୍ତି । ସତର୍କତା ପଦକ୍ଷେପ ସ୍ୱରୂପ ଆଖପାଖ କୋଠା ଗୁଡିକୁ ଖାଲି କରାଯାଇଛି । ଏହି ସବୁ କୋଠା ଗୁଡିକ ମଧ୍ୟ ବିପଦ ସଙ୍କୁଳ ଅଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା । ସହରର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା ।

Comments are closed.