ସମ୍ବଲପୁର ଶୀତଳଷଷ୍ଠୀ: ସରିଲା ଦେବ ନିମନ୍ତ୍ରଣ, କାଲି ବାରାତ୍ ରେ ବାହାରିବେ ମହାଦେବ

ସମ୍ବଲପୁର : ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଏବର୍ଷ ପୁଣି କରୋନା କଟକଣା ଯୋଗୁଁ ଫିକା ପଡି ଯାଇଛି । ହେଲେ ଆୟୋଜକଙ୍କ ଉତ୍ସାହ ଆଦୌ ଊଣା ହୋଇନାହିଁ । ଗତକାଲି ସୁଦ୍ଧା ସମସ୍ତ ମନ୍ଦିରର ପତରପେଣ୍ଡି ବା ନିର୍ବନ୍ଧ ଶେଷ ହୋଇଥିବା ବେଳେ ଆଜି ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ନୀତି ବି ସଂପନ୍ନ ହୋଇଛି । ନନ୍ଦପଡାର ବଂବରାଡ ବାଲୁଙ୍କେଶ୍ଵର ବାବାଙ୍କ ବିବାହରେ ସାକ୍ଷୀ ହେବା ପାଇଁ ଆଜି ପ୍ରଭୁ ସାକ୍ଷୀ ଗୋପିନାଥ ମଧ୍ୟ ଆସି ପହଞ୍ଚି ଯାଇଛନ୍ତି । ଆଉ ଆସନ୍ତାକାଲି ସନ୍ଧ୍ୟାରେ ଦେବ ଦେବ ମହାଦେବ ବର ବେଶରେ ସଜ୍ଜିତ ହୋଇ ବାରାତ୍ ରେ ବାହାରିବାକୁ ଯାଉଛନ୍ତି ।

କରୋନା କଟକଣା ଯୋଗୁଁ ୨ ବର୍ଷ ହେଲା ଷଷ୍ଠୀ ଯାତ୍ରା ଫିକା ପଡ଼ି ଯାଇଛି । ତେବେ , କେବଳ ବିଧିରକ୍ଷାରେ ଏହି ଯାତ୍ରୀ ସୀମିତ ହୋଇଯାଇଥିଲେ ହେଁ କର୍ମକର୍ତ୍ତାମାନେ ପୁରା ଦରେ ଆୟୋଜନରେ ଲାଗି ପଡ଼ିଛନ୍ତି । ପବିତ୍ର ଅକ୍ଷୟ ତୃତୀୟାରେ ଏହି ଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଥିଲା । ସେହିଦିନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ।

ଆଉ ଗତ ୧୧ ତାରିଖରେ ପ୍ରଥମ କରି ନନ୍ଦପଡାର ବଂବରାଡ଼ ବାଲୁଙ୍କେଶ୍ଵର ବାବାଙ୍କ ପତରପେଣ୍ଡି ଏବଂ ୧୨ ତାରିଖରେ ଗୁଆଗୁଣ୍ଡା ସଂପନ୍ନ ହୋଇଥିଲା । ଆଉ ଆଜି ବାହାଘରରେ ସାକ୍ଷୀ ହେବା ପାଇଁ ସାକ୍ଷୀ ଗୋପିନାଥ ଆସି ପହଞ୍ଚିଛନ୍ତି । ସେହିପରି ଗତକାଲି ଝାଡୁଆପଡାର ଲୋକନାଥ ବାବା , ମୁଦିପଡାର ଜାଗେଶ୍ଵର ବାବାଙ୍କ ସମେତ ବଡବଜାରର ଶୀତଳେଶ୍ଵର ବାବା , ବାଲିବନ୍ଧାର ସୋମନାଥ ବାବା , ଠାକୁରପଡାର ଗୁପ୍ରେଶ୍ଵର ବାବା , ବୁଢାରଜାର ପହାଡେଶ୍ଵର ବାବା ଏବଂ ଦୁର୍ଗାପାଲିର ଗୁଡେଶ୍ଵର ବାବାଙ୍କ ମନ୍ଦିରରେ ମଧ୍ୟ ପତରପେଣ୍ଡି ସଂପନ୍ନ ହୋଇଛି ।

ଆଉ ଆଜି ଏହି ସମସ୍ତ କମିଟିର ଦେବ ନିମନ୍ତ୍ରଣ ନୀତି ବି ଶେଷ ହୋଇଛି । ସେପଟେ , ଆସନ୍ତାକାଲି ମହାପ୍ରଭୁ ବାରାତ୍ ରେ ବାହାରିବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷେ , କନ୍ୟା ପିତାମାତାଙ୍କ ଘର ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତାକାଲି ଗତବର୍ଷର କନ୍ୟା ପିତାମାତାଙ୍କ ଗଣ୍ଠାଳ ଫିଟା ନୀତି ସଂପନ୍ନ ହେବା ପରେ ମାତା ପାର୍ବତୀଙ୍କୁ ଏବର୍ଷର କନ୍ୟାପିତାମାତା ମାନେ ନିଜ ଘରକୁ ନେବେ । ମାଁଙ୍କୁ ବନ୍ଦାପଣା , ତୈଳାଭିଷେକ ଆଦି ନୀତି ସଂପନ୍ନ କରି ରାତିରେ ବଧୂ ବେଶରେ ସଜ୍ଜିତ କରିବେ । ଆଉ ଆସନ୍ତାକାଲି ବିଳମ୍ବିତ ରାତିରେ ଦେବ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ ।

ତେବେ , କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ଯାତ୍ରା କମିଟି ପକ୍ଷରୁ ଏବର୍ଷ ମଧ୍ୟ ଯୁଗଳ ଦର୍ଶନକୁ ଥରକରେ ମାତ୍ର ୨୦ ଜଣଙ୍କୁ ଅନୁମତି ଦେବାକୁ ସ୍ଥିର ହୋଇଛି । ଏଥିପାଇଁ ସମସ୍ତ ଭକ୍ତ ମାକ୍ସ ପରିଧାନ ସହ ସାମାଜିକ ଦୂରତା ରଖିବାକୁ ବ୍ୟବସ୍ଥା କରାଯାଇଛି । ହେଲେ , ବରଯାତ୍ରୀ ଏବଂ ଯୁଗଳ ଦର୍ଶନ ଶୋଭାଯାତ୍ରାକୁ ବାତିଲ କରାଯାଇଥିବାରୁ ରାଜ୍ୟର ପ୍ରତିଟି ପ୍ରାନ୍ତରୁ ଆସୁଥିବା ସଂସ୍କୃତିକ ଦଳଙ୍କୁ ଏବର୍ଷ ବି ଦେଖିବାକୁ ମିଳିବନି ।

Comments are closed.