ଭାରତରେ ଅକ୍ଟୋବର-ନଭେମ୍ବରରେ ଆସିପାରେ କରୋନାର ତୃତୀୟ ଲହରୀ

ନୂଆଦିଲ୍ଲ: ଭାରତରେ ମୃତ୍ୟୁର ବିଭୀଷିକା ରଚିଥିବା କରୋନାର ଦ୍ୱିତୀୟ ଲହରୀ ପ୍ରକୋପ କ୍ରମେ ଶିଥିଳ ପଡ଼ୁଥିବା ବେଳେ ଏବେ ତୃତୀୟ ଲହରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତୃତୀୟ ଲହରୀ ସଂକ୍ରମଣ ନେଇ ଭିନ୍ନ ମତ ସୃଷ୍ଟି ହୋଇଛି । ତୃତୀୟ ଲହରୀ ଆସିବା ଥୟ ବୋଲି କିଛି ବିଶେଷଜ୍ଞ କହୁଥିବା ବେଳେ ଆଉ କିଛି ଏହାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ତେବେ ଏପିଡେମିଓଲୋଜିଷ୍ଟ ଡାକ୍ତର ଚନ୍ଦ୍ରକାନ୍ତ ଲହରିୟା କହିଛନ୍ତି ଯେ, ଦେଶରେ ଅକ୍ଟୋବର-ନଭେମ୍ବର ସୁଦ୍ଧା ତୃତୀୟ ଲହରୀ ଆସିବା ସମ୍ଭାବନା ଅଛି । ହେଲେ ଦ୍ୱିତୀୟ ଲହରୀ ତୁଳନାରେ ଏହାର ପ୍ରକୋପ କମ୍ ରହିବ ।

ଡାକ୍ତର ଲହରିୟା କହିଛନ୍ତି, ଭାରତରେ ଏଯାବତ୍ ୪୦ ରୁ ୫୦ କୋଟି ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମିତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ଦେଶର ବାକି ଲୋକଙ୍କ ମଧ୍ୟରେୁ ଅନେକ କୋଭିଡ୍ ଟିକା ନେଇସାରିଛନ୍ତି । ସେମାନଙ୍କ ଦେହରେ ବି ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୃତୀୟ ଲହରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇପାରନ୍ତି । ତେବେ ତୃତୀୟ ଲହରୀର ପ୍ରକୋପ ଏତେ ରହିବ ନାହିଁ ବୋଲି ଡାକ୍ତର ଲହରିୟା ଆକଳନ କରିଛନ୍ତି । ସେ କହିଛନ୍ତି ଦେଶର କିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ଲହରୀର ଅଧିକ ପ୍ରଭାବ ରହିପାରେ । ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଅକ୍ଟୋବର-ନଭେମ୍ବର ବେଳକୁ କରୋନା ମାମଲା ବଢ଼ିପାରେ ।

ଭାରତରେ ଭୟଙ୍କର ଦ୍ୱିତୀୟ ଲହରୀ ପାଇଁ ଯେପରି ଡେଲ୍‌ଟା ଭାରିଆଣ୍ଟକୁ ଦାୟୀ କରାଯାଉଛି, ତୃତୀୟ ଲହରୀ ପାଇଁ ମଧ୍ୟ କରୋନାର ପରିବର୍ତ୍ତିତ ପ୍ରଜାତି ହିଁ ଦାୟୀ ରହିବ । ଯଦି କରୋନା ଭାଇରସ୍‌ର ଭାରିଆଣ୍ଟ୍ ରୂପ ବଦଳାଇବା ଜାରି ରଖେ ତେବେ ତୃତୀୟ ଲହରୀ ଆସିବା ଥୟ । ବିଶ୍ୱର ଅନେକ ଦେଶରେ ମଧ୍ୟ କୋଭିଡ୍‌-୧୯ର ତୃତୀୟ ଲହରୀ ସଂକ୍ରମଣ ଆସିଛି । ଏବେ ବ୍ରିଟେନରେ ତୃତୀୟ ଲହରୀ ସଂକ୍ରମଣ ଆରମ୍ଭ ହେଉଛି । ଏଣୁ ଭାରତରେ ବି କରୋନାର ତୃତୀୟ ଲହରୀ ସଂକ୍ରମଣ ଆସିବା ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।

Comments are closed.