ରଥଯାତ୍ରାର ରୋଚକ ତଥ୍ୟ: ଆଜି ଜାଣିବା ତାଳଧ୍ୱଜ ରଥ ବିଷୟରେ କିଛି

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଯେଉଁ ତିନୋଟି ସୁଉଚ୍ଚ ରଥ ନିର୍ମାଣ କରାଯାଇଥାଏ। ସେହି ତିନୋଟି ରଥର ନାମ ଭିନ୍ନ ଭିନ୍ନ ଅଟେ। ଶେଷାବତାର ଶ୍ରୀ ବଳଭଦ୍ର ବା ବଡ ଠାକୁର ଯେଉଁ ରଥରେ ବିରାଜମାନ କରିଥାନ୍ତି ସେହି ରଥ ର ନାମ ହେଉଛି “ତାଳଧ୍ଵଜ ରଥ”।

ତାଳଧ୍ଵଜ ରଥର ଅନ୍ୟନାମ ହେଉଛି ଲଙ୍ଗଳଧ୍ଵଜ।ସ୍କନ୍ଦପୁରାଣ ଅନୁସାରେ ଶ୍ରୀ ଅନନ୍ତ ଦେବ ବଳଭଦ୍ର ଙ୍କ ଅବତାର।ଶ୍ରୀ ଅନନ୍ତ ଦେବ ସର୍ବଦା ସୁନିର୍ମଳ ଜ୍ଞାନରୂପକ ଦର୍ପଣ ରେ ଏ ସଚରାଚର କୁ ନିରୀକ୍ଷଣ କରୁଛନ୍ତି। ଏହାଙ୍କ ହସ୍ତ ତଳେ ନିର୍ମଳ ଦର୍ପଣ ସର୍ବଦା ବିରାଜିତ।ଶ୍ରୀ ଅନନ୍ତ ଦେବଙ୍କ ହସ୍ତ ତଳ ହେତୁ ଏହା ତାଳ, ପ୍ରଭୁ ସର୍ବଦା ଏହି ତାଳ ଚିହ୍ନରେ ପରିଚିତ। ତାଙ୍କ ହଳ ଲଙ୍ଗଳ ଚିହ୍ନ ଯୁକ୍ତ ରଥଧ୍ଵଜ। ଏହି କାରଣ ରୁ ବଳଭଦ୍ର ଙ୍କ ରଥର ନାମ “ତାଳଧ୍ଵଜ ରଥ”।ଅନ୍ୟ ପକ୍ଷରେ ଦେବତା ମାନେ ତାଳ ବନରେ ବଳରାମ ଙ୍କୁ ଏହି ରଥ ପ୍ରଦାନ କରି ଥିବାରୁ ଏହାର ନାମ  “ତାଳଧ୍ଵଜ ରଥ” ବୋଲି କିଛି ଗବେଷକ ମତ ରଖିଥାନ୍ତି।

ତାଳଧ୍ଵଜ ରଥ” ରେ ଶ୍ରୀ ବଳଭଦ୍ର ଙ୍କ ସହିତ ରାମକୃଷ୍ଣ ଓ ଉର୍ଦ୍ଧ୍ବ ଭାଗରେ ନୃସିଂହ ବିରାଜମାନ କରିଥାନ୍ତି। ଏହି ରଥ ନିର୍ମାଣ ରେ ସମୁଦାୟ ୭୩୧ କାଠ ଲାଗିଥାଏ।। ରଥର ଉଚ୍ଚତା ୩୨ ହାତ ୧୦ଆଙ୍ଗୁଳ ଅର୍ଥାତ ୪୫ ଫୁଟ। ଉକ୍ତ ରଥରେ ସମୁଦାୟ ୧୪ ଟି ଚକ ସଂଯୁକ୍ତ ହୋଇଥାଏ। ପ୍ରତି ଚକ ର ଉଚ୍ଚତା ୬ଫୁଟ ୬ ଇଞ୍ଚ।

ଲାଙ୍ଗଲି ଶ୍ରୀ ବଳଭଦ୍ର ସ୍ୱୟଂ ସ୍ଥୂଳ ଜଗତର ପ୍ରତୀକ ଅଟନ୍ତି। ଏ ଜଗତର ସମସ୍ତ ଜୀବ ସମୁଦାୟ ର ପରାଗତି ଚଉଦଲକ୍ଷ।ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ଏମାନେ ଚଉଦ କରଣ ଅଟନ୍ତି। ଏହିମାନେ ହିଁ ଜୀବର ବନ୍ଧନ ଓ ମୋକ୍ଷ ର କାରଣ ଅଟନ୍ତି। ଏହି ଚଉଦ ବନ୍ଧନ କୁ କାଟିବା ପାଇଁ ସ୍ୱୟଂ ଶ୍ରୀ ବଳଦେବ ଚଉଦ ଚକ ବିଶିଷ୍ଟ ରଥରେ ଆରୋହଣ କରି ଚଉଦ ଭୁବନ କୁ ପବିତ୍ର କରିଥାନ୍ତି।। କ୍ରମଶଃ

ରଥଯାତ୍ରାର ରୋଚକ ତଥ୍ୟ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଆମେ ପ୍ରକାଶ କରିବୁ ତିନି ରଥର କିଛି ରୋଚକ ତଥ୍ୟ

Comments are closed.