ସାରା ପଶ୍ଚିମ ଓଡିଶା କରୋନା ମୁକ୍ତ ଅଭିମୁଖେ, ଦୁଇ ଅଙ୍କ ଭିତରେ ସବୁ ଜିଲ୍ଲା

ସମ୍ବଲପୁର : ସାରା ପଶ୍ଚିମ ଓଡିଶା ଏବେ କରୋନା ମୁକ୍ତ ଅଭିମୁଖେ । ଆଜି ସମଗ୍ର ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ରହିଛି । ଏପରିକି ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ସୁନ୍ଦରଗଡ ଜିଲ୍ଲାରେ ଗତ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ସବୁ ଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ , ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଝାରସୁଗୁଡା ଏବଂ ନୂଆପଡାରେ ସ୍ଥିତି ମାସକ ତଳେ ଉଦବେଗଜନକ ଥିବା ବେଳେ ଏବେ ସେଠି ସଂକ୍ରମଣ ୧୫ ତଳକୁ ଖସି ଆସିଛି । ମୋଟ୍ ଉପରେ ସାରା ପଶ୍ଚିମ ଓଡିଶାର ସଂକ୍ରମଣ ଆଜି ୪ ଶହ ତଳକୁ ହ୍ରାସ ପାଇଛି । ତେବେ , ଛତିଶଗଡ ତୁଳନାରେ ପଶ୍ଚିମ ଓଡିଶାରେ ଏହି ଦ୍ବିତୀୟ ଲହରକୁ କାବୁ କରିବାରେ ସରକାର ବହୁତ୍ କମ୍ ସମୟ ମଧ୍ୟରେ ସଫଳ ହୋଇଥିବା କୁହାଯାଉଛି ।

୩ ଦିନ ତଳେ ସୁନ୍ଦରଗଡ ଜିଲ୍ଲାରେ ୧୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇଦିନ ହେଲା ସଂକ୍ରମଣ ଶହେ ତଳକୁ ଖସିଛି । ଗତକାଲି ମାତ୍ର ୪୮ ଚିହ୍ନଟ ହୋଇଥିବା ବେଳେ ଆଜି ମାତ୍ର ୭୬ ଜଣ ଚିହ୍ନଟ ହୋଇଛନ୍ତି । ସେହି ପରି ସୋନପୁର ଏବଂ ସମ୍ବଲପୁରରେ ୩୯ ଜଣ ଲେଖାଏଁ , ନୂଆପଡାରେ ୧୫ ଜଣ , କଳାହାଣ୍ଡିରେ ୩୫ , ଝାରସୁଗୁଡାରେ ୧୨ , ଦେବଗଡରେ ୨୫ , ବୌଦ୍ଧରେ ୫୨ , ବଲାଙ୍ଗୀରରେ ୧୮ ଏବଂ ବରଗଡରେ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାସକ ତଳେ ରାଜ୍ୟରେ ସଂକ୍ରମଣ ୧୨ ହଜାର ଥିବା ବେଳେ ସେଥିରୁ କେବଳ ପଶ୍ଚିମ ଓଡିଶାର ସଂକ୍ରମଣ ୬ ହଜାର ଉପରେ ରହୁଥିଲା । ହେଲେ ବର୍ତ୍ତମାନ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ମିଶି ମାତ୍ର ୩୯୮କୁ ଖସିଛି । ଆଉ ଏହି ସମସ୍ତ ଜିଲ୍ଲା ସରକାରଙ୍କ ଏ କ୍ୟାଟେଗୋରି ଅଧୀନରେ ରହିଛି ।

ଫଳରେ ଆସନ୍ତାକାଲି ଠାରୁ କୋହଳ ଲକଡାଉନ୍ ଆଧାରରେ ଏହି ସବୁ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବାକୁ ଆଜି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । ତେବେ , ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ପ୍ରଶାସନର ତତ୍ପରତା ତଥା ସୁଚିନ୍ତିତ ପଦକ୍ଷେପ ଯୋଗୁଁ ବହୁତ୍ କମ୍ ସମୟ ମଧ୍ୟରେ କରୋନା କାବୁକୁ ଆସିପାରିଥିବା ନେଇ କୁହାଯାଉଛି ।

Comments are closed.