ଶ୍ରୀମନ୍ଦିରରେ ଦଇତାପତି ସେବା ବିଷୟରେ କିଛି ଜାଣିବା କଥା

ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଖୁବ ରହସ୍ୟମୟ। ଯାହା ବେଦର ମଧ୍ୟ ଅଗୋଚର। ତଥାପି ତାଙ୍କର ଅନୁଷ୍ଠିତ ହୋଇଥାଏ ମାନବୀୟ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଦି ପ୍ରବର୍ତ୍ତକ ହେଉଛନ୍ତି ବିଶ୍ୱାବସୁ ଶବର ଓ ବିଦ୍ୟାପତି। ଏହି ଦୁଇଜଣ ପୁଣ୍ୟଶ୍ଳୋକ ହେଉଛନ୍ତି ମହାପ୍ରଭୁଙ୍କ ଆଦିମ ସେବକ ।ଶ୍ରୀମନ୍ଦିରରେ ଦୈନନ୍ଦିନ ସେବପୂଜାରେ ଆଜିବି ବିଶ୍ୱାବସୁ, ବିଦ୍ୟାପତି ଓ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରତିନିଧି ମହାପ୍ରଭୁଙ୍କୁ ସେବା ଅର୍ପଣ କରିଥାନ୍ତି। ପୁଣ୍ୟାତ୍ମା ବିଶ୍ୱାବସୁଙ୍କ ବଂଶଧର ହେଉଛନ୍ତି ଆଜିର ଦଇତା ସେବକ। ଦଇତା ସେବକ ଶାଢ଼ୀବନ୍ଧା ସେବକ ହୋଇନଥିଲେ ମଧ୍ୟ ଶ୍ରୀଜୀଉଙ୍କ ରଥଯାତ୍ରା, ସ୍ନାନପୁର୍ଣିମା, ନବକଳେବର, ସୁଦର୍ଶନଙ୍କ ବାହାର ବିଜେ ଓ ପଇତାଲାଗି ରେ ସେବାକାର୍ଯ୍ୟ ସମ୍ପାଦନ କରିଥାନ୍ତି। ବିଶେଷ ଭାବରେ ଏହି ସେବକ ମାନେ ମହାପ୍ରଭୁଙ୍କ ଅଣସର ସମୟରେ ସମସ୍ତ ଗୁପ୍ତସେବା, ଶ୍ରୀଅଙ୍ଗଫିଟା, ଦଶମୂଲାଦୀ ଔଷଧ ଅର୍ପଣ ଓ ଫୁଲୁରୀ ଲାଗି ନୀତି ଆଦି ସମ୍ପାଦନ କରିଥାନ୍ତି। ରଥଯାତ୍ରା ଓ ନବକଳେବର ଆଦି ସମୟରେ ମହାପ୍ରଭୁଙ୍କ ମୁଖ୍ୟସେବାର ଭାର ଏହି ସେବକ ଵହନ କରିଥାନ୍ତି।

ସେହିପରି ବିଦ୍ୟାପତିଙ୍କ ବଂଶଧର ହେଉଛନ୍ତି ପତିମହାପାତ୍ର। ଏମାନେ ବ୍ରାହ୍ମଣ ସେବକ ଅନ୍ତର୍ଭୁକ୍ତ। ଦଇତା ସେବକମାନଙ୍କ ସହ ମହାପ୍ରଭୁଙ୍କ ଗୁପ୍ତସେବାରେ ଭାଗନେଇ ଭୋଗ ଓ ବନ୍ଦାପନା ଆଦି କାର୍ଯ୍ୟ କରିଥାନ୍ତି। ଦୁଇ ସେବକ ମିଶି ଏମାନଙ୍କୁ ‘ ଦଇତାପତି’ ସେବକ କୁହାଯାଇ ଥାଏ। ଏହି ଦୁଇ ବଂଶଧର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳ ସେବକ। ଯେଉଁଥିପାଇଁ ଏହି ଦୁଇ ସମ୍ପ୍ରଦାୟ ମିଳିତ ଭାବରେ ମହାପ୍ରଭୁଙ୍କ ଗୁପ୍ତ ନୀତିରେ ସାମିଲ ହୋଇଥାନ୍ତି। ମହାପ୍ରଭୁଙ୍କ ନବକଳେବର ସମୟରେ ଏହିମାନେ ହିଁ ସ୍ୱଜନ ଭାବରେ ଲୌକିକ କ୍ରିୟା ସମ୍ପାଦନ କରି ପ୍ରଭୁଙ୍କ ମାନବୀୟ ଲୀଳାକୁ ସାକାର କରିଥାନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଏହି ସେବକ ଦ୍ୱୟଙ୍କ ସେବା ପରମ୍ପରା ଅତ୍ୟନ୍ତ ରହସ୍ୟମୟ ଓ ସୁସଙ୍ଗଠିତ।

Comments are closed.