ପୁରୀ: ଶ୍ରୀଜୀଉଙ୍କ ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଓଷ ଲାଗି ଅନୁଷ୍ଠିତ ହେବ। ଆଜି ହେଉଛି କୃଷ୍ଣ ଦ୍ଵାଦଶୀ ତିଥୀ। ସ୍ନାନପୁର୍ଣିମା ଠାରୁ ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡିତ ଥିଲେ। ଗତକାଲି ଖଳିଲାଗି ଏକାଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ, କର୍ପୂର, ଚୁଆ, କୁଙ୍କୁମ, କସ୍ତୁରୀ ଲେପନ କରି ଖଳି ଲାଗି କରିଛନ୍ତି। ମହାପ୍ରଭୁଙ୍କ ମଳିନ ଶ୍ରୀମୁଖ କାନ୍ତିରେ କିଛିଟା ସରସତା ଆସିଛି। ଏହାକୁ କମନୀୟ କରିବାପାଇଁ ସମ୍ପୃକ୍ତ ସେବକମାନେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଓଷ ଲାଗି କରିବେ।

ଏହି ଓଷ ରାଶିତେଲ, ଝୁଣା, କସ୍ତୁରୀ, କର୍ପୂର ସହିତ ଅନେକ ବାସ ଦ୍ରବ୍ୟ ମିଶାଯାଇ ରନ୍ଧନ କରାଯାଏ। ଏହି ପ୍ରଲେପକୁ ଶ୍ରୀଅଙ୍ଗ ସମେତ ମୁଖ ମଣ୍ଡଳରେ ଲେପନ କରାଯାଏ। ପରମ୍ପରା କ୍ରମେ ଏହି ଉପଚାର ଆଷାଢ଼ କୃଷ୍ଣ ଦ୍ଵାଦଶୀରେ ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁଙ୍କୁ ଲାଗି ହେବା ସମୟରେ ଶ୍ରୀଅଙ୍ଗରୁ ଯେଉଁ କରାଳ, ଚନ୍ଦନ, ପାଟଡୋର ଓ ଔଷଧ ସବୁ ଝରି ପଡେ ତାହାକୁ ଦଇତା ସେବକମାନେ ରୋପ୍ୟ ଥାଳିରେ ସଂଗ୍ରହ କରିଥାନ୍ତି। ଏହିସବୁ ଦ୍ରବ୍ୟ ମହାପ୍ରଭୁଙ୍କ ନିର୍ମାଲ୍ୟ ଅଟେ।

ଶ୍ରୀଜୀଉ ମାନଙ୍କ ଶରୀର ସୁସ୍ଥ ହେବାର ସମ୍ବାଦ ଗଜପତିଙ୍କୁ ଦେବାର ବିଧି ବ୍ୟବସ୍ଥା ରହିଛି। ସକାଳଧୂପ ପରେ ଏହିସବୁ ଦିବ୍ୟବସ୍ତୁକୁ ଦଇତା ଓ ପତି ମହାପାତ୍ର ଉଭୟ ପଟୁଆରରେ ଘଣ୍ଟ, କାହାଳୀ, ବୈଜୟନ୍ତ୍ରୀ ଓ ଛତା ସହ ପୁରୀ ରାଜବାଟି ‘ଶ୍ରୀନହର’ କୁ ଯାଇ ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥ ହେବାର ବାର୍ତା ଦେବେ। ଏହାପରେ ସମ୍ପୃକ୍ତ ସେବକ ମାନଙ୍କୁ ଶ୍ରୀନହର ପକ୍ଷରୁ ଶାଢ଼ୀ ପ୍ରଦାନ ପରେ ସମ୍ପୃକ୍ତ ସେବକ ମାନେ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ଏହି ନୀତିକୁ ଶ୍ରୀମନ୍ଦିର ପରମ୍ପରା ରେ ‘ରାଜ ପ୍ରସାଦ ବିଜେ’ କୁହାଯାଏ।

Comments are closed.