କରୋନା ଅପଡେଟ୍‌: ୧୧୧ ଦିନ ପରେ ସବୁଠୁ କମ୍ ମାମଲା, ଚିହ୍ନଟ ହେଲେ ଆଉ ୩୪,୭୦୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ପ୍ରକୋପ ଶିଥିଳ ପଡ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୪,୭୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୧ ଦିନ ପରେ ଏହା ହେଉଛି ସବୁଠୁ କମ୍ ଦୈନିକ ମାମଲା । ଶେଷଥର ମାର୍ଚ୍ଚ ୧୮ରେ ୩୫,୭୮୧ ମାମଲା ରିପୋର୍ଟ ହୋଇଥିଲା ।

କରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ଦିନକରେ ଏହି ମହାମାରୀରେ ଆଉ ୫୫୩ ଜଣଙ୍କର ଜୀବନ ଯାଇଛି । ଏହି ରୋଗରୁ ଆଉ ୫୧,୮୬୪ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ କ୍ରମାଗତ ୫୪ତମ ଦିନ ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା ତୁଳନାରେ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ, ଦେଶରେ ଏଯାବତ୍ ମୋଟ ୩ କୋଟି ୬ ଲକ୍ଷ ୧୯ ହଜାର ୯୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪ ଲକ୍ଷ ୩ ହଜାର ୨୮୧ ଜଣ ପ୍ରାଣ ହରାଇଛନ୍ତି । କରୋନାରୁ ଏଯାବତ୍ ୨ କୋଟି ୯୭ ଲକ୍ଷ ୫୨ ହଜାର ୨୯୪ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪ ଲକ୍ଷ ୬୪ ହଜାର ୩୫୭କୁ ଖସିଛି । ସକ୍ରିୟ ମାମଲା ମୋଟ ସଂକ୍ରମିତ ସଂଖ୍ୟାର ୧.୫୮ ପ୍ରତିଶତ ରହିଛି । ଦେଶରେ ଆରୋଗ୍ୟ ହାର ୯୭.୧୧ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୧.୩୨ ପ୍ରତିଶତ ରହିଛି ।

ଆଇସିଏମ୍‌ଆର ମୁତାବକ ସୋମବାର ସମଗ୍ର ଦେଶରେ ମୋଟ ୧୪ ଲକ୍ଷ ୨୪ ହଜାର ୮୮୧ ନମୁନା ପରୀକ୍ଷା କରାଯାଇଥିଲା । ଏ ପର୍ଯ୍ୟନ୍ତ ମୋଟ ୪୨ କୋଟି ୧୪ ଲକ୍ଷ ୨୪ ହଜାର ୮୮୧ ନମୁନା ପରୀକ୍ଷଣ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶରେ ପଜିଟିଭିଟି ହାର ୫ ପ୍ରତିଶତଠାରୁ କମ୍ ରହିଛି । ଏହା ସମ୍ପ୍ରତି ୨.୧୧ ପ୍ରତିଶତ ଅଛି ।

ଅନ୍ୟପଟେ ଦେଶରେ କୋଭିଡ୍‌-୧୯ ବିରୋଧରେ ଟିକାକରଣ ମଧ୍ୟ ଜାରି ରହିଛି । ଗତ ୨୪ ଘଣ୍ଟାରେ ୪୫ ଲକ୍ଷ ୮୨ ହଜାର ୨୪୬ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ୩୫.୭୫ କୋଟି ଟିକା ଦିଆଯାଇଛି ।

Comments are closed.