‘ମହାତ୍ମା ଗାନ୍ଧୀ ଇଜ୍ ନେସନ୍ ଅଫ୍ ଫାଦର୍..’, ପୁରୁଣା ଟ୍ବିଟ୍ ପାଇଁ ଟ୍ରୋଲ୍ ହେଲେ ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ

ନୂଆଦିଲ୍ଲୀ: ଗୁଜରାଟର ବିଜେପି ସାଂସଦ ମନସୁଖ ମାଣ୍ଡବ୍ୟଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ପଦୋନ୍ନତି ଦେଇ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି। ମାଣ୍ଡବ୍ୟ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ସ୍ଥାନ ନେଇଛନ୍ତି ଏବଂ ଦେଶର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ତାଙ୍କର କିଛି ପୁରୁଣା ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଟ୍ୱିଟ୍ ମଧ୍ୟରୁ ଗୋଟିଏ ହେଉଛି ୨୦୧୩ର |

ଏହି ଟ୍ୱିଟରେ ମନସୁଖ ମାଣ୍ଡବ୍ୟ ଲେଖିଥିଲେ, ”Mahatama Gandhiji is our nation of father’.’। କିଛି ଲୋକ ଏହି ଟ୍ୱିଟର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ସେୟାର କରି ମାନସୁଖ ମାଣ୍ଡବ୍ୟଙ୍କୁ ଟ୍ରୋଲ୍ କରିଛନ୍ତି ।

ଏହାଛଡ଼ା ମାଣ୍ଡବ୍ୟଙ୍କ ବର୍ଷ ୨୦୧୪ର ଏକ ଟ୍ୱିଟ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଟ୍ୱିଟ୍ ରେ ସେ ରାହୁଲ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ଅଣନାତି ବୋଲି ବର୍ଣ୍ଣନା କରିଛନ୍ତି।

ବୁଧବାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ ମାଣ୍ଡବ୍ୟ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ରାସାୟନିକ ଓ ସାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ। ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରୀର ସାମ୍ନା କରୁଥିବା ବେଳେ ଏବଂ ମୁଣ୍ଡ ଉପରେ ତୃତୀୟ ଲହରୀ ବିପଦ ରହିଛି । ଏଭଳି ଏକ ଚ୍ୟାଲେଞ୍ଜିଂ ସମୟରେ ମନସୁଖ ମାଣ୍ଡବ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଗୁଜୁରାଟର ସୌରାଷ୍ଟ୍ରର ସାଂସଦ ମାଣ୍ଡବ୍ୟ ମୋଦି ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ଯୁବ ଚେହେରା ରହି ଆସିଛନ୍ତି ।

ମନସୁଖ ମାଣ୍ଡବ୍ୟ ପ୍ରଥମେ ୨୦୧୨ରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୧୮ରେ ପୁନଃନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ସେ ଗୁଜୁରାଟ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଲିମିଟେଡର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Comments are closed.