ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଟେଷ୍ଟ ଖେଳିବ ଭାରତ

ଲଣ୍ଡନ – ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ୨୦୨୧ ପାଇଁ ଘରୋଇ କାର୍ଯ୍ୟସୂଚୀ ଜାରି କରିଛି । ଏହି କାର୍ଯ୍ୟସୂଚୀ ଅନୁସାରେ ଭାରତୀୟ ଦଳ ଆସନ୍ତାବର୍ଷ ଇଂଲଣ୍ଡ ଗସ୍ତରେ ପାଞ୍ଚଟି ଟେଷ୍ଟ ଖେଳିବ ।

ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟରୁ ସେପ୍ଟେମ୍ବର ଯାଏ ଖେଳାଯିବ । କୋଭିଡ୍-୧୯ କାରଣରୁ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଇସିବି ବନ୍ଦ ଦ୍ୱାର ପଛରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ଆୟୋଜନ କରିଥିଲା । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ସୀମିତ ଓଭର ସିରିଜ୍ ଆୟୋଜନ କରିଥିଲା । ତେବେ ସ୍ଥିତିକୁ ଦେଖି ଇସିବି ଆସନ୍ତା ସିଜନରୁ ସବୁ ସିରିଜ୍ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଆଗ୍ରହୀ ଅଛି । ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୪ରେ ଶେଷ ହେବ । ଟେଷ୍ଟ ଗୁଡିକ ଯଥାକ୍ରମେ ଟ୍ରେଣ୍ଟବ୍ରିଜ୍, ଲର୍ଡ୍ସ, ହେଡିଂଲେ, ଓଭାଲ ଓ ମାଞ୍ଚେଷ୍ଟରରେ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଶେଷଥର ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା । ଭାରତ ଟେଷ୍ଟ ସିରିଜ୍ ୧-୪ରେ ହାରିଯାଇଥିଲା ।

ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଇଂଲଣ୍ଡ ଜୁନ୍ ୨୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଶ୍ରୀଲଙ୍କା ସହିତ ତିନୋଟି ଦିନିକିଆ ଖେଳିବ । ଏହାପରେ ପାକିସ୍ତାନ ସହ ଜୁଲାଇ ୮ରୁ ୨୦ ଯାଏ ତିନି ଟି୨୦ ଓ ସମାନ ସଂଖ୍ୟକ ଦିନିକିଆ ଖେଳିବ ।

Comments are closed.