ନିଜ ଦଳ ଭାଙ୍ଗିଲେ ରଜନୀକାନ୍ତ, କହିଲେ ଆଉ ରାଜନୀତିକୁ ଫେରିବେ ନାହିଁ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୋମବାର ସେ ଟ୍ୱିଟ୍ କରି ଏହି ଘୋଷଣା କରିବା ସହ ନିଜ ରାଜନୈତିକ ମଞ୍ଚ ‘ରଜନୀ ମକ୍କଲ ମନ୍ଦରମ (ଆର୍‌ଏମ୍‌ଏମ୍‌)’ ଭଙ୍ଗ କରିଥିବା କହିଛନ୍ତି । ଭବିଷ୍ୟତରେ ରାଜନୀତିକୁ ଫେରିବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ବୋଲି ଏହି କିମ୍ବଦନ୍ତୀ ଅଭିନେତା ସ୍ପଷ୍ଟ କରିଛନ୍ତି ।

ରଜନୀକାନ୍ତ କହିଛନ୍ତି ଯେ, ତାଙ୍କ ସଂଗଠନ ଏବେ ‘ରଜନୀ ରସୀଗର ନରପାନୀ ମନ୍ଦରମ’ ନାମରେ ଜନତାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ।

ସ୍ୱାସ୍ଥ୍ୟଗତ କାରଣରୁ ସେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ରଜନୀକାନ୍ତ ଡିସେମ୍ବର ୨୯ରେ ଘୋଷଣା କରିଥିଲେ । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ସେ ନିକଟରେ କହିବା ପରେ ତାଙ୍କ ରାଜନୈତିକ ଇନିଂସ୍ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏବେ କିନ୍ତୁ ସେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି ।

ରଜନୀକାନ୍ତ ଡିସେମ୍ବର ୨୦୨୦ରେ କହିଥିଲେ ଯେ, ସେ ଏକ ନୂଆ ରାଜନୈତିକ ଦଳ ଲଞ୍ଚ୍ କରିବେ । ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରଜନୀ ତାଙ୍କ ଦଳ ଲଞ୍ଚ୍ କରିବେ ବୋଲି ମନେ କରାଯାଉଥିଲା । ହେଲେ ସେ ଡିସେମ୍ବର ଶେଷ ଆଡକୁ ୟୁ-ଟର୍ଣ୍ଣ କରିଥିଲେ ଏବଂ କହିଥିଲେ ଯେ, ସେ ରାଜୀନତିରେ ପ୍ରବେଶ କରିବେ ନାହିଁ । ତାଙ୍କର ଏହି ଘୋଷଣା ପରେ ରଜନୀକାନ୍ତଙ୍କ ସଂଗଠନର ସଦସ୍ୟମାନେ ଡିଏମ୍‌କେ ଓ ଅନ୍ୟ ଦଳରେ ଯୋଗ ଦେଇଥିଲେ।

Comments are closed.