କୁଚିଣ୍ଡା ୟୁନିୟନ ବ୍ୟାଙ୍କ ଶାଖା ଗାଡିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୯ ଗିରଫ, ନଗଦ ଟଙ୍କା ଜବତ

ସମ୍ବଲପୁର- କୁଚିଣ୍ଡାର ୟୁନିୟନ ବ୍ୟାଙ୍କ ଶାଖା ଗାଡିରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ନଗଦ ୧୦ ଲକ୍ଷ ୯ ହଜାର ଟଙ୍କା ଜବତ କରାଯାଇଛି । ଏହାଛଡା ଏକ କାର, ବାଇକ୍ , ସୁନା ଓ ରୁପା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ ।

ଗତ ୯ ତାରିଖରେ ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ୍ ଲଇମୁରା ଶାଖା ଗାଡିରୁ ଦୁର୍ବୃତମାନେ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ । କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର କର୍ମଚାରୀମାନେ ଗତ ୯ ତାରିଖରେ ନଗଦ ଅର୍ଥ ନେବାକୁ ସମ୍ବଲପୁର ଆସିଥିଲେ । ଟଙ୍କା ନେଇ ଫେରୁଥିବା ବେଳେ ଭୋଜପୁର ନିକଟସ୍ଥ କୁଚିଣ୍ଡା ଥାନା ଅନ୍ତର୍ଗତ ଠୁଂଟିପିପଲ ନିକଟରେ ପଲସର ଧରି ରାସ୍ତାରେ ଛିଡା ହୋଇଥିବା ୨ ଲୁଟେରା ଗାଡିକୁ ଅଟକାଇ ଥିଲେ । ପଛରୁ ଆଉ ୪ ଜଣ ଲୁଟେରା ମୋଟର ସାଇକେଲରେ ଆସି ପହଂଚିଥିଲେ । ସେମାନେ ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଟଙ୍କା ଲୁଟି ନେଇ ପଳାଇଥିଲେ । ଏ ନେଇ ବ୍ୟାଙ୍କ ବ୍ରାଂଚ ମ୍ୟାନେଜର କୁଚିଣ୍ଡା ଥାନରେ ଏତଲା ଦାୟର କରିଥିଲେ । ସନ୍ଦେହରେ ଗାଡିର ଡ୍ରାଇଭରକୁ ପୋଲିସ ଅଟକ ରଖିଥିଲା ।

Comments are closed.