ଆଇସିଏମ୍‌ଆର୍‌ର ଚେତାବନୀ, ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରୀ ଆସନ୍ନ ବୋଲି ଚେତାବନୀ ଦେଇଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହରୀ ଆସିବା ସମ୍ଭାବନା ରହିଛି ବୋଲି ଦେଶର ଏହି ସର୍ବୋଚ୍ଚ ଭେଷଜ ସଂସ୍ଥା ଚେତାଇଛି । ତେବେ ଦ୍ୱିତୀୟ ଲହରୀ ତୁଳନାରେ ତୃତୀୟ ଲହରୀର ପ୍ରଭାବ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଆଇସିଏମ୍‌ଆରର ଏପିଡେମିଓଲୋଜି ଆଣ୍ଡ୍ କମ୍ୟୁନିକେବୁଲ ଡିଜିଜେସ୍ ବିଭାଗର ମୁଖ୍ୟ ଡାକ୍ତର ସିମରନ ପଣ୍ଡା କହିଛନ୍ତି ଯେ, ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହରୀ ଆସିପାରେ । ଦେଶବ୍ୟାପୀ ଏହାର ପ୍ରଭାବ ଦେଖାଦେବ । କିନ୍ତୁ ଡାକ୍ତର ପଣ୍ଡାଙ୍କ ପୂର୍ବାନୁମାନ ଅନୁସାରେ ତୃତୀୟ ଲହରୀ ଏତେ ଭୟାବହ ହେବ ନାହିଁ ।

ଡାକ୍ତର ପଣ୍ଡାଙ୍କ ମୁତାବକ ଚାରିଟି କାରଣ ଯୋଗୁଁ ତୃତୀୟ ଲହରୀ ଆସିପାରେ । ପ୍ରଥମତଃ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ସଂକ୍ରମିତ ବ୍ୟକ୍ତିଙ୍କ ଇମ୍ୟୁନିଟି କମିବା । ଦ୍ୱିତୀୟତଃ, ଯେଉଁ ସଂକମ୍ରିତ ବ୍ୟକ୍ତିଙ୍କଠାରେ କରୋନା ବିରୋଧରେ ଇମ୍ୟୁନିଟି ସୃଷ୍ଟି ହୋଇଛି, ତାହା ନୂଆ ଭାରିଆଣ୍ଟକୁ ଲଢ଼ିବାରେ ସେତେ ପ୍ରଭାବୀ ହୋଇନପାରେ । ତୃତୀୟ କାରଣ ହେଉଛି ଯଦି ନୂଆ ଭାରିଆଣ୍ଟ ଇମ୍ୟୁନିଟି ଭେଦ କରିନପାରୁଛି, ତେବେ ଏହା ସମ୍ଭବ ଯେ ଏପରି ନୂଆ ଭାରିଆଣ୍ଟ୍ ଦ୍ରୁତ ଗତିରେ ବ୍ୟାପିବ । ଡାକ୍ତର ପଣ୍ଡା କହିଛନ୍ତି, ରାଜ୍ୟ ଗୁଡିକ ଅତିଶୀଘ୍ର ସବୁ କଟକଣା କୋହଳ କରିବା ଦ୍ୱାରା ବଜାର, ପର୍ଯ୍ୟଟନ ସ୍ଥଳୀ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଲୋକେ ମଧ୍ୟ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କି ମାସ୍କ ପିନ୍ଧୁ ନାହାନ୍ତି । ତୃତୀୟ ଲହରୀ ପାଇଁ ଏହା ଚତୁର୍ଥ କାରଣ ହେବ ।

Comments are closed.