ନୌସେନାର ଶକ୍ତି ବୃଦ୍ଧି, ଭାରତକୁ ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟର ଦେଲା ଆମେରିକା

ନୂଆଦିଲ୍ଳୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତ-ଆମେରିକା ଚୁକ୍ତି ଅଧୀନରେ ଭାରତକୁ ମିଳିଛି ଦୁଇଟି ଏମ୍‌ଏଚ୍‌-୬୦ ହେଲିକପ୍ଟର । ଆମେରିକାର ନୌସେନା ପକ୍ଷରୁ ଏହି ଦୁଇ ମଲ୍ଟି ରୋଲ୍ ହେଲିକପ୍ଟର ଭାରତୀୟ ନୌସେନାକୁ ହସ୍ତାନ୍ତର କରାଯାଇଛି । ଏଥିସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି ।

ଆମେରିକା ଠାରୁ ଭାରତ ପ୍ରାୟ ୨.୪ ବିଲିୟନ ଡଲାର ମୂଲ୍ୟରେ ୨୪ଟି ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟର କିଣିବ । ଏହି ସ୍ପେଶାଲ ହେଲିକପ୍ଟର ଆମେରିକୀୟ କମ୍ପାନୀ ଲକହିଡ୍ ମାର୍ଟିନ ଦ୍ୱାରା ନିର୍ମିତ ।

ସାନ୍ ଡିଏଗୋ ସ୍ଥିତ ନୌସେନା ବିମାନଘାଟି ନର୍ଥ ଆଇଲାଣ୍ଡ୍ କିବ୍ୱା ଏନ୍‌ଏଏସ୍ ନର୍ଥ ଆଇଲାଣ୍ଡରେ ଶୁକ୍ରବାର ଏକ ସ୍ୱତନ୍ତ୍ର ସମାରୋହରେ ଭାରତୀୟ ନୌସେନାକୁ ଆନୁଷ୍ଠାନିକ ଭାବେ ଦୁଇଟି ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟର ହସ୍ତାନ୍ତର କରିଛି ଆମେରକୀୟ ନୌସେନା । ଏହି ଅବସରରେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂହ ସାନ୍ଧୁ ଉପସ୍ଥିତ ଥିଲେ । ଏହି ଅଲ୍ ସିଜନ୍ ହେଲିକପ୍ଟର ଭାରତୀୟ ନୌସେନାରେ ସାମିଲ ହେବା ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାନ୍ଧୁ କହିଛନ୍ତି ।

ଏମ୍‌ଏଚ୍‌-୬୦ ଆର୍ ହେଲିକପ୍ଟର ସବୁ ଋତୁରେ ବ୍ୟବହାର କରାଯାଇ ପାରିବ । ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ଯୁଦ୍ଧବେଳେ ବିଭିନ୍ନ କାର୍ଯ୍ୟରେ ଲାଗିପାରିବ । ଏହି ହେଲିକପ୍ଟର ଗୁଡ଼ିକୁ ଅନେକ ସ୍ୱତନ୍ତ୍ର ଉପକରଣ ଓ ଅସ୍ତ୍ରଶସ୍ତ୍ରରେ ବି ସଜ୍ଜିତ କରାଯିବ । ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟରର ବ୍ୟବହାର ଶିିଖିବା ପାଇଁ ଭାରତୀୟ ନୌସେନାର ଏକ ଦଳ ସମ୍ପ୍ରତି ଆମେରିକାରେ ତାଲିମ ନେଉଛି ।

ଭାରତୀୟ ପ୍ରତିରକ୍ଷା ବିଭାଗ କହିଛି ଯେ, ଏମ୍‌ଏଚ୍‌-୬୦ଆର୍ ହେଲିକପ୍ଟର ସହ ଭୂପୃଷ୍ଠ ଓ ଜଳଭାଗରେ ଭାରତର ସାମରିକ କ୍ଷମତା ବଢ଼ିବ । ଆଞ୍ଚଳିକ ବିପଦକୁ ପ୍ରତିହତ କରିବ ଦେଶର ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ସାମରିକ କ୍ଷମତାର ଉପଯୋଗ କରାଯିବ ।

Comments are closed.