ଭିସାର ଖାତାକୁ ଫେରିଥିବା ୭୯ ଏକର ଜମିର ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦ୍ବିତୀୟ କ୍ୟାମ୍ପସ୍ ନିର୍ମାଣ ପାଇଁ ଯୋଜନା

ସମ୍ବଲପୁର : କିଛିଦିନ ତଳେ ବୁର୍ଲା ଭିମସାରକୁ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ୭୯ ଏକର ଜମି ଯୋଗାଇ ଦିଆଯାଇଥିଲା । ଆଜି ଏହାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟ ୨ ର ନିକଟରେ ଥିବା ଏହି ବିଶାଳ ଜମି ଭିମସାରକୁ ଦିଆଯାଇଛି । ତେବେ ଏହାର ଚିହ୍ନଟ ପରେ ଏଠାରେ ଖୁବ୍ ଶୀଘ୍ର ଭିମସାରର ଆଉ ଏକ କ୍ୟାମ୍ପସ ହେବ ବୋଲି ଜଣାପଡ଼ିଛି । ଭିମସାର ଏବଂ ରାଜସ୍ବ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଆଜି ଏହି ଜମିରେ ସୀମା ଚିହ୍ନଟ ଆରମ୍ଭ ହୋଇଛି । ଉଭୟ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ରହି ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ ଖୁଷ୍ଟି ପୋତିଥିଲେ । ତେବେ ଏହି ଜମି ଚିହ୍ନଟ ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ କରି ଏଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯିବ ବୋଲି ମେଡିକାଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉ କି ୬୨ ବର୍ଷର ବୁର୍ଲା ଭିମସାର ନାମରେ କୌଣସି ଜମି ରହି ନ ଥିବାରୁ ଭିତ୍ତିଭୂମି ବିକାଶରେ ସମସ୍ୟା ପାଲଟିଥିଲା । ଏହାକୁ ନେଇ ମେଡିକାଲ କାଉଲସିଲ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ପ୍ରଶ୍ନ ଉଠିବା ସହ ଏଫିଲିଏସନକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ପୂର୍ବରୁ ବୁର୍ଲା ଭିମସାର ନାମରେ ଗତ ୨୦୨୦ ମସିହାରେ ୧୧୮ ଏକର ଜମି ପଟ୍ଟା ପଞ୍ଜିକୃତ ହୋଇଥିଲା । ପୁଣି ଦ୍ବିତୀୟ ପର୍ଯ୍ୟାୟରେ ୭୯ ଏକର ଜମି ପଟ୍ଟା ଭିମସାର ନାମରେ ପଞ୍ଜିକୃତ ହୋଇଥିଲା । ହେଲେ ସେଥିରେ ଥିବା ତ୍ରୁଟି ସଂଶୋଧନ ପରେ ବର୍ତ୍ତମାନ ୭୯ ଏକରର ପଟ୍ଟା ମିଳିଛି ! ଏବେ ଏହି ଜମି ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି ।

ସେପଟେ , ବହୁ ପୂର୍ବରୁ ଏଥିପାଇଁ ଏକ ମାଷ୍ଟରପ୍ଲାନ ମଧ୍ୟ ତତ୍କାଳୀନ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମୟରେ ପ୍ରସ୍ତୁତ କରାଯାଇଥିବା ଦୃଷ୍ଟାନ୍ତ ରହିଛି । ଏହାଛଡା ତତ୍କାଳୀନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୂଜାହାରୀଙ୍କ ସମୟରେ ମଧ୍ୟ ଏହି ଜମିପଟ୍ଟା ଭିମସାର ନାମରେ କରାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା ।

Comments are closed.