ସଂସଦରେ ଅଚଳାବସ୍ଥା ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଜେପି ସଂସଦୀୟ ଦଳର ନେତାଙ୍କ ସହ ଏକ ବୈଠକ କରିଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଅଚଳାବସ୍ଥା ନେଇ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେତେବେଳେ କୋରୋନା ଉପରେ ବୈଠକ ଡକାଯାଇଥିଲା, କଂଗ୍ରେସ ଏହାକୁ ବର୍ଜ୍ଜନ କରିବା ସହ ଅନ୍ୟ ଦଳମାନଙ୍କୁ ଏଥିରେ ଯୋଗ ଦେବାକୁ ରୋକିଥିଲା । କଂଗ୍ରେସ ଯୋଗୁଁ ସଂସଦ କାର୍ଯ୍ୟ ଚାଲି ପାରୁନାହିଁ । ଜନସାଧାରଣ ଏବଂ ଗଣମାଧ୍ୟମ ଆଗରେ କଂଗ୍ରେସର ପ୍ରକୃତ ଚେହେରା ଦେଖାଇବାକୁ ହେବ ବୋଲି ନିଜ ଦଳର ସାଂସଦମାନଙ୍କୁ କହିଛନ୍ତି ମୋଦି।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଏକ ସପ୍ତାହରୁ ଅଧିକ ସମୟ ବିତି ଗଲାଣି କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରୁନାହିଁ। ପେଗାସସ୍ ମାମଲା ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀମାନେ ସଂସଦରେ ହଙ୍ଗାମା ଜାରି ରଖିଛନ୍ତି।
ପେଗାସସ୍ ଫୋନ୍ ହ୍ୟାକ୍ ମାମଲା ଉପରେ ଆଲୋଚନା ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ନହେବା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚଳାଇବାକୁ ଦିଆଯିବ ନାହିଁ ବୋଲି ବିରୋଧୀ ସାଂସଦମାନେ କହିଛନ୍ତି।

Comments are closed.