ସଂସଦର ସମୟ ନଷ୍ଟ ନକରି ସରକାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରାଜି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ: ସଂସଦର ଅଧିକ ସମୟ ନଷ୍ଟ ନକରି ବିରୋଧୀଙ୍କୁ ଗୃହରେ ଦରବୃଦ୍ଧି, କୃଷି ଆଇନ ଏବଂ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ରାଜି ହେବା ଉଚିତ୍ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି । ରାହୁଲ କହିଛନ୍ତି, ସାଂସଦମାନେ ଲୋକଙ୍କ ସ୍ୱର ହେବା ଉଚିତ ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଭାରତୀୟ ଗଣତନ୍ତ୍ରର ମୂଳଦୁଆ । କିନ୍ତୁ କେନ୍ଦ୍ର ସରକାର ବିରୋଧୀଙ୍କ ଅନୁରୋଧ ରଖୁ ନାହାଁନ୍ତି। ବିରୋଧୀ ଦଳ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ସହ ସଂସଦରେ ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବି କରୁଛନ୍ତି। ଏହାକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି- ଆମର ଗଣତନ୍ତ୍ରର ମୂଳଦୁଆ ହେଉଛି ସାଂସଦମାନେ ଲୋକଙ୍କ ସ୍ୱର ହେବା ଉଚିତ ଏବଂ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ। ବିରୋଧୀଙ୍କୁ ଏହି କାମ କରିବାକୁ ମୋଦି ସରକାର ଅନୁମତି ଦେଉ ନାହାଁନ୍ତି। ସଂସଦର ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ, ସେମାନଙ୍କୁ ଦରବୃଦ୍ଧି, କୃଷକ ଏବଂ ପେଗାସସ୍ ପ୍ରସଙ୍ଗରେ କହିବାକୁ ଦିଅନ୍ତୁ |

ଗତ କିଛି ଦିନ ହେଲା ପେଗାସସ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ସଂସଦର ଉଭୟ ଗୃହ ଠପ୍ ହୋଇଯାଇଛି। ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଗୃହର କାର୍ଯ୍ୟ ବ୍ୟାହତ ହୋଇଛି। ବିରୋଧୀ ଦଳ କହିଛନ୍ତି ଯେ ପେଗାସସ୍ ଗୁଇନ୍ଦା ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହେବା ପରେ ହିଁ ସଂସଦରେ ଅଚଳାବସ୍ଥା ଶେଷ ହେବ ।

Comments are closed.