ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ମଧ୍ୟରେ ଆଲାମ ଚଣ୍ଡୀଙ୍କ ଭୂମିକା ସ୍ୱତନ୍ତ୍ର

ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳା ନିକଟରେ ବିରାଜମାନ କରିଛନ୍ତି ଶ୍ରୀଆଲାମ ଚଣ୍ଡୀ । ଅଠରନଳା ପାର ହୋଇ ବଡ଼ଦାଣ୍ଡ ଆସିବା ପଥରେ ଦକ୍ଷିଣ ପଟରେ ରହିଛନ୍ତି ମାଆ ଆଲାମ ଚଣ୍ଡୀ ବାମ ପାର୍ଶ୍ଵରେ ରହିଛି ପ୍ରସିଦ୍ଧ ପଥର ପୁଷ୍କରିଣୀ।

ଏହି ଶକ୍ତିପୀଠଟି ଅତି ପ୍ରାଚୀନ୍ନ ହୋଇଥିଲେ ମଧ୍ୟ ମନ୍ଦିର ନିର୍ମାଣ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସମୟ ମିଳେନାହିଁ। ବର୍ତ୍ତମାନର ପରିଦୃଶ୍ୟ ମନ୍ଦିରଟି ଆନୁମାନିକ ୧୬ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ଗବେଷକ ମାନେ ମତ ଦେଇଛନ୍ତି। ପରବର୍ତ୍ତୀ ସମୟରେ ମନ୍ଦିରର ନାଟ ମଣ୍ଡପଟି ନିର୍ମାଣ କରାଯାଇଛି।

ଶ୍ରୀମନ୍ଦିରର ଅନେକ ରୀତି ନୀତି ସହିତ ଜଡିତ ଦେବୀ ଆଲାମ ଚଣ୍ଡୀ । ଭାରତରେ ଯେତେ ସବୁ ଦେବଦେବୀ ମନ୍ଦିର ରହିଛି ସେଥି ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ସର୍ବାଧିକ ରୀତି ନୀତି ବହୁଳ ମନ୍ଦିର ଅଟେ। ଶ୍ରୀମନ୍ଦିର ଦୈନନ୍ଦିନ ନୀତି ବ୍ୟତୀତ ଶ୍ରୀମନ୍ଦିର ବାହାରେ ଥିବା ଅନେକ ଦେବଦେବୀ ପୀଠ ଓ ମନ୍ଦିର ସହିତ ଶ୍ରୀଜୀଉମାନଙ୍କ ରହିଛି ନିବିଡ଼ ସମ୍ପର୍କ । ବିଶେଷ କରି ଶାକ୍ତ ଓ ଶୈବ ଉପାସନା ପୀଠ ସହିତ ବୈଷ୍ଣବୀୟ କ୍ଷେତ୍ର ଶ୍ରୀମନ୍ଦିରର ଅଙ୍ଗାଙ୍ଗି ସମ୍ପର୍କ ଶ୍ରୀକ୍ଷେତ୍ରର ମହତ୍ତ୍ୱକୁ ଦ୍ବିଗୁଣିତ କରିଥାଏ। ବିଶେଷ କରି ଶ୍ରୀକ୍ଷେତ୍ରର ଅଷ୍ଟ ଶାକ୍ତକ୍ଷେତ୍ର ଏ ପୁଣ୍ୟ କ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଭାବରେ ପରିଗଣିତ ହୋଇଥାନ୍ତି। ସେ ସବୁ ଶାକ୍ତକ୍ଷେତ୍ର ମଧ୍ୟରୁ ଦେବୀ ଆଲାମ ଚଣ୍ଡୀ ପୀଠ ଅନ୍ୟତମ।

ପୌରାଣିକ ମତ ଆଧାରରେ ମହାବିଷ୍ଣୁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରକୁ ସୁରକ୍ଷିତ ରଖିବା ପାଇଁ ଭଗବାନ ରୁଦ୍ରଙ୍କୁ କ୍ଷେତ୍ରପାଳ ରୂପରେ ଅଷ୍ଟ ଲିଙ୍ଗ ଏବଂ ଶକ୍ତିଙ୍କୁ କ୍ଷେତ୍ରର ରକ୍ଷା କାରିଣୀ ଭାବରେ ଅଷ୍ଟ ଶକ୍ତି ରୂପରେ ସ୍ଥାପନା କରିଛନ୍ତି।
ସ୍କନ୍ଦ ପୁରାଣ ଅନୁସାରେ ଶ୍ରୀମନ୍ଦିର ଉତ୍ତର ଭାଗରେ ବିରାଜିତ ଦେବୀ ଆଲାମ ଚଣ୍ଡୀ ଶ୍ରୀମନ୍ଦିର ନୈରୁତ କୋଣରେ ଥିବା ରତ୍ନବେଦୀର ସୁରକ୍ଷା ଦାୟିତ୍ୱରେ ଥିବା ଉଲ୍ଲେଖ କରିଛନ୍ତି। ଏହି ଦେବୀ ଅଷ୍ଟ କିଲ୍ଲା ବା ଅଷ୍ଟ ଚଣ୍ଡୀଙ୍କ ମଧ୍ୟରୁ ପ୍ରମୁଖ ବୋଲି ସ୍ୱୀକାର କରାଯାଇଛି। ଏହି ଦେବୀଙ୍କ ଆଲାମ ଚଣ୍ଡୀ ନାମ ସହିତ ସ୍କନ୍ଦପୁରାଣ ଓ ବାମଦେବ ସଂହିତା ରେ ଲମ୍ବା ଏବଂ ଅଲମ୍ବା ବୋଲି ମଧ୍ୟ ପ୍ରାର୍ଥନା କରାଯାଇଛି।
ଶଙ୍ଖସ୍ୟ ପୃଷ୍ଠ ଭାଗେ ତୁ ସଂସ୍ଥିତା ସର୍ବ ମଙ୍ଗଳା।
ଅର୍ଦ୍ଧାଶନି ତଥା ଲମ୍ବା କୌବେର ଦିଶି ସଂସ୍ଥିତା।।

ଶ୍ରୀମନ୍ଦିରର ଅନେକ ପ୍ରମୁଖ ନୀତି ସହିତ ମାଆ ଆଲାମ ଚଣ୍ଡୀଙ୍କ ସମ୍ପର୍କ ଜଡିତ। ବିଶେଷ କରି ଶ୍ରୀଜୀଉଙ୍କ ନବକଳେବର ସମୟରେ ପ୍ରଥମେ ଦାରୁ ଶଗଡି ଏହି ପୀଠରେ ପହଁଚିବା ପରେ ଏଠାରେ ଗୁପ୍ତନୀତି ସମ୍ପାଦିତ ହୋଇଥାଏ। ଦଇତା ସେବକମାନେ ଏହିଠାରେ ରାତ୍ରି ଯାପନ କରିବା ସହିତ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀରେ ନିଜର ନିତ୍ୟକର୍ମ ସାରିଥାନ୍ତି। ବିଶେଷ କରି ସୁଭଦ୍ରାଙ୍କ ଦାରୁ ଶଗଡିଙ୍କ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ ଦାରୁ ଶଗଡି ଶ୍ରୀମନ୍ଦିରକୁ ଯାଇଥାନ୍ତି। ସେହିପରି ସପ୍ତପୁରୀ ଅମାବାସ୍ୟା ତିଥିରେ ଏହି ଆଲାମ ଚଣ୍ଡୀ ପୀଠରୁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ। ଶାରଦୀୟ ଦୁର୍ଗାପୂଜା ସମୟରେ ଏହି ମାଆଙ୍କ ଷୋଳପୂଜା ପାଇଁ ଗଜପତି ବ୍ରାହ୍ମଣ ବରଣ କରିଥାନ୍ତି। ଶ୍ରୀକ୍ଷେତ୍ରର ଏହା ଆଦ୍ୟପୀଠ ହୋଇଥିଲେ ମଧ୍ୟ ଏଠାରେ ବିଶେଷ ଜନ ସମାଗମ ଦେଖାଯାଇ ନଥାଏ। ଲୋକ ବିଶ୍ୱାସ ରହିଛି ଏହିଦେବୀ ଆଜିବି ପ୍ରତ୍ୟକ୍ଷରେ ଶ୍ରୀକ୍ଷେତ୍ରକୁ ସବୁ ଦିଗରୁ ରକ୍ଷା କରି ନିଜର ପୁତ୍ର ବତ୍ସଳତାର ପରିଚୟ ଦେଉଛନ୍ତି।

Comments are closed.