ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ୨୬/୧୧ ବାର୍ଷିକୀରେ ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ

ନୂଆଦିଲ୍ଳୀ – ଜାମ୍ମୁର ନାଗ୍ରୋଟା ଏନକାଉଣ୍ଟର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା, ବିଦେଶ ସଚିବ ଓ ସବୁ ଗୁଇନ୍ଦା ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ଗତକାଲି ଜାମ୍ମୁର ନାଗ୍ରୋଟାରେ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ଆତଙ୍କବାଦୀ ନିହତ ହୋଇଥିଲେ ।

ଗୁଇନ୍ଦା ବିଭାଗ ସୂଚନା ମୁତାବକ ଆତଙ୍କବାଦୀମାନେ ୨୬/୧୧ ମୁମ୍ବାଇ ଆକ୍ରମଣ ବାର୍ଷିକୀରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ । କାଶ୍ମୀର ପଟୁ ଏକ ଟ୍ରକ୍ ଯୋଗେ ୪ରୁ ୫ ଆତଙ୍କବାଦୀ ଆସୁଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏକ ଟୋଲ ପ୍ଲାଜା ନିକଟରେ ଗାଡିକୁ ଅଟକାଇଥିଲେ । ଏତିକି ବେଳେ ଟ୍ରକରେ ଥିବା ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇ ନିକଟସ୍ଥ ଏକ ଜଙ୍ଗଲ ଆଡକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀଙ୍କ ଟ୍ରକରୁ ୧୧ଟି ଏକେ-୪୭ ରାଇଫଲ, ତିନୋଟି ପିସ୍ତଲ, ୨୯ ଗ୍ରେନେଡ ଜବତ କରାଯାଇଥିଲା ।

Comments are closed.