ବିଡେନଙ୍କୁ @POTUS ଓ @LOTUS ଆକାଉଣ୍ଟ୍ ହସ୍ତାନ୍ତର କରିବ ଟ୍ୱିଟର

ୱାଶିଂଟନ – ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ଠାରୁ ହାରିଥିଲେ ବି ଡୋନାଲ୍ଟ ଟ୍ରମ୍ପ୍ ଏ ଯାଏଁ ପରାଜୟ ସ୍ୱୀକାର କରିନାହାନ୍ତି ।

ତେବେ ସେ ପରାଜୟ ସ୍ୱୀକାର କରନ୍ତୁ ଅବା ନ କରନ୍ତୁ, ଜାନୁୟାରୀରେ କିନ୍ତୁ ବିଡେନଙ୍କୁ @POTUS ଓ @LOTUS ଆକାଉଣ୍ଟ୍ ହସ୍ତାନ୍ତର କରାଯିବ ବୋଲି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଘୋଷଣା କରିଛି । ଅର୍ଥାତ୍ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିଆ ଏହି ଦୁଇ ଟ୍ୱିଟର ଆକାଉଣ୍ଟ ର ବ୍ୟବହାର ଆଉ କରିପାରିବେନି । ଉଲ୍ଳେଖଯୋଗ୍ୟ ଯେ, ଏହି ଦୁଇ ଆକାଉଣ୍ଟ୍ ଯଥାକ୍ରମେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟ୍ ।

କ୍ଷମତାରେ ଥିବାବେଳେ ଏହି ଦୁଇ ଆକାଉଣ୍ଟରୁ ଟ୍ରମ୍ପ୍ ପ୍ରଶାସନ ଯାହା ବି ଟ୍ୱିଟ୍ କରିଛି, ସେ ସବୁୁକୁ ଆର୍କାଇଭ୍ ତାଲିକାରେ ରଖାଯିବ । ଜାନୁୟାରୀ ୨୦, ୨୦୨୧ରେ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତୁତି କରାଯାଉଛି ବୋଲି ଟ୍ୱିଟରର ଜଣେ ମୁଖପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ହ୍ୱାଇଟ୍ ହାଉସର ଉପରୋକ୍ତ ଦୁଇ ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟକୁ ବିଡେନଙ୍କ ଟିମ୍ କୁ ଦିଆଯିବ । ଏହି ଦୁଇ ମୁଖ୍ୟ ଆକାଉଣ୍ଟ୍ ସହ ହ୍ୱାଇଟ୍ ହାଉସର ଅନ୍ୟ ଭେରିଫାଏଡ୍ ଆକାଉଣ୍ଟ ସବୁ ମଧ୍ୟ ବିଡେନଙ୍କ ଟିମ୍ ଙ୍କୁ ଦିଆଯିବ ।

ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ୨୭୦ରୁ ଊର୍ଦ୍ଧ୍ୱ ଇଲେକ୍ଟ୍ରୋରାଲ ଭୋଟ୍ ସହ ବିଡେନ୍ ବିଜୟୀ ହୋଇଥିଲେ । ଆମେରିକାର ପ୍ରମୁଖ ଗଣମାଧ୍ୟମ ମଧ୍ୟ ବିଡେନଙ୍କୁ ବିଜେତା ଘୋଷଣା କରିଥିଲେ । କିନ୍ତୁ ଟ୍ରମ୍ପ୍ ନିଜ ପରାଜୟ ସ୍ୱୀକାର କରିବାକୁ ନାରାଜ । ଟ୍ରମ୍ପ୍ ନିର୍ବାଚନରେ ରିଗିଂ ହୋଇଥିବା ଅଭିଯୋଗ କରିଛନ୍ତି । ବିଭିନ୍ନ ପ୍ରଦେଶର ଭୋଟଗଣନାକୁ ସେ ଅଦାଲତରେ ଚ୍ୟାଲେଞ୍ଜ୍ ବି କରିଛନ୍ତି । ତେବେ ଟ୍ରମ୍ପ୍ ନିର୍ବାଚନରେ ରିଗିଂ ହୋଇଥିବା ପ୍ରମାଣ ଦେଇନାହାନ୍ତି ।

Comments are closed.