ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଳଂଘନ, ଭାରତର ପାଲଟା ଜବାବ

ଶ୍ରୀନଗର – ପାକିସ୍ତାନ ତରଫରୁ ପୁଣି ଅସ୍ତ୍ରବିରତି ଉଲ୍ଳଂଘନ କରାଯାଇଛି । ଆଜି ଜାମ୍ମୁକାଶ୍ମୀର ରାଜୋରି ଜିଲ୍ଲାର ନୌସେରା ସେକ୍ଟର ନିୟନ୍ତ୍ରଣ ରେଖା (ଏଲ୍ଓସି) ପାଖରେ ପାକିସ୍ତାନ ସେନା ତରଫରୁ ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି । ସୂଚନା ମୁତାବକ ଭାରତୀୟ ସେନା ମଧ୍ୟ ଏହାର ଦୃଢ ଜବାବ ଦେଇଛନ୍ତି । ଗତକାଲି ପାକିସ୍ତାନୀ ସେନାବାହିନୀର ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଥିଲେ । ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟରେ ପାକିସ୍ତାନ ପଟୁ ନୌସେରା ସେକ୍ଟରରେ ଗୁଳି ଓ ମୋର୍ଟାର ମାଡ଼ କରାଯାଇ ଅକାରଣେ ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ।

ଭାରତ ମଧ୍ୟ ଏହାର ମୁହଁତୋଡ଼ ଜବାବ ଦେଇଛି ବୋଲି ପ୍ରତିରକ୍ଷା ବିଭାଗ ପ୍ରବକ୍ତା କର୍ଣ୍ଣେଲ୍ ଦେବେନ୍ଦ୍ର ଆନନ୍ଦ କହିଛନ୍ତି । ଗତ କିଛିଦିନ ଧରି ପାକିସ୍ତାନ ବହୁଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ଉଦ୍ୟମ କରୁଛି । ଗତ ଗୁରୁବାର ନାଗ୍ରୋଟାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ଚାରି ଜୈସ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ଏକେ-୪୭ ରାଇଫଲ, ଗ୍ରେନେଡ ସହ ଅନେକ ପରିମାଣର ଗୁଳିଗୋଳା ଜବତ କରାଯାଇଥିଲା । ଭାରତରେ ଆତଙ୍କବାଦୀ ଆକ୍ରମଣ ଯାଜନା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଗତକାଲି ପାକିସ୍ତାନ ହାଇକମିଶନ ଅଧିକାରୀଙ୍କୁ ସମନ କରି ଭାରତ ଦୃଢ ପ୍ରତିବାଦ ଜଣାଇଥିଲା ।

Comments are closed.