କୃଷି ଆଇନ ବିରୋଧରେ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଡାକରା: ଦିଲ୍ଲୀ-ହରିୟାଣା ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଚାଷୀମାନେ ଆଜିଠୁ ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି । ଏହି ତିନି ରାଜ୍ୟର ଚାଷୀମାନଙ୍କ ଦିଲ୍ଲୀରେ ପ୍ରବେଶକୁ ରୋକିବା ପାଇଁ ଦିଲ୍ଲୀ-ହରିୟାଣା ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୁଧବାର ଅମ୍ବାଲା ରାଜପଥରେ ଅଟକି ରହିଥିବା ବେଳେ ଚାଷୀମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ୧୦୦ କୃଷକଙ୍କୁ ଅଟକ ରଖାଯାଇଥିଲା।

ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଡ୍ରୋନ୍ ଦ୍ବାରା ମଧ୍ୟ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ନଜର ରଖାଯାଉଛି। ଦିଲ୍ଲୀରେ ପ୍ରାୟ ଏକ ଲକ୍ଷ ଚାଷୀଙ୍କ ସମାବେଶ ହେବା ସମ୍ଭାବନା ରହିଛି। ଯଦି ଏହାକୁ ବନ୍ଦ କରାଯାଏ ତେବେ ସେମାନେ ଦିଲ୍ଲୀର ସମସ୍ତ ରାସ୍ତା ଅବରୋଧ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।

କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ପାଇଁ ଦିଲ୍ଲୀ ମେଟ୍ରୋ ଗୁରୁବାର ରୁଟରେ ପରିବର୍ତ୍ତନ କରିଛି। ଦିଲ୍ଲୀର ନୋଏଡା, ଗାଜିଆବାଦ ସହିତ ଏନସିଆରର ସମସ୍ତ ସହରକୁ ସଂଯୋଗ କରୁଥିବା ଦୁଇଟି ଷ୍ଟେସନ ମଧ୍ୟରେ ମେଟ୍ରୋ ଲାଇନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ।

Comments are closed.